ରାଇରଙ୍ଗପୁର (ମୟୂରଭଞ୍ଜ): ଗୃହଜିଲ୍ଲା ମୟୂରଭଞ୍ଜର ଦୀର୍ଘବର୍ଷର ସ୍ବପ୍ନ ପୂରଣ କରିଛନ୍ତି ରାଷ୍ଟ୍ରପତି । ଜନ୍ମମାଟି ରାଇରଙ୍ଗପୁର ଗସ୍ତର ଶେଷ ଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ହେଲା ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ଚାକୁଳିଆ ଓ ବାଦାମପାହାଡ-କେନ୍ଦୁଝର ରେଳ ସଂଯୋଗୀକରଣ । ମୋଟ ୬,୨୯୪ କୋଟି ଟଙ୍କା ବିନିମୟରେ ଏହି ତିନି ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।
- ସୁପର-ସ୍ପେଶାଲିଟି ହସ୍ପିଟାଲ ଓ ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ
ଏହା ସହ ରାଷ୍ଟ୍ରପତି ଉକ୍ତ କାର୍ଯ୍ୟକ୍ରମ ମଞ୍ଚରୁ ଭିଡିଓ କନଫରେନ୍ସି ମାଧ୍ୟମରେ ରାଇରଙ୍ଗପୁରରେ ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନ ବନ୍ଦରର ଉନ୍ନତିକରଣ, ଏବଂ ଉପଖଣ୍ଡ ଚିକିତ୍ସାଳୟକୁ ସୁପର-ସ୍ପେଶାଲିଟି ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ ।
- କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ, ସାଂସଦ ଓ ବିଧାୟକ
ପୂର୍ବାହ୍ନ ୧୦ଟାରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନରୁ ବାହାରି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଙ୍ଗିରିପୋଷି ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, କେନ୍ଦ୍ର ଜନଜାତି ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟର ଦୁଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଗଣେଶ ରାମ ସିଂ ଖୁଣ୍ଟିଆ, ୪ ଜଣ ସାଂସଦ ମମତା ମହାନ୍ତ, ନବ ଚରଣ ମାଝୀ, ପ୍ରତାପ ଷଢଙ୍ଗୀ ଓ ଅନନ୍ତ ନାଏକ, ସ୍ଥାନୀୟ ବିଧାୟିକା ସଞ୍ଜଳୀ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅଧିକାରୀଙ୍କ ମଧ୍ୟରେ ଦକ୍ଷିଣ-ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର, ମୟୂରଭଞ୍ଜ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଗଣ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
- 3 ରେଳ ପ୍ରକଳ୍ପ ସମ୍ପର୍କରେ...
- ବାଙ୍ଗିରିପୋଷି-ଗୋରୁମହିଷାଣି
- ବୁଡାମରା-ଚାକୁଳିଆ
- ବାଦାମପାହାଡ-କେନ୍ଦୁଝର
ବୁଢ଼ାମରାରୁ ଚାକୁଲିଆ ନୂତନ ରେଳ ଲାଇନ ହେଉଛି ୬୦ କିଲୋମିଟର ଲମ୍ବ । ଏହି ଲାଇନଟି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ସହ ଝାଡ଼ଖଣ୍ଡର ସିଂହଭୁମ ଜିଲ୍ଲାକୁ ସଂଯୋଗ କରିବ । ଏହି ପ୍ରକଳ୍ପରେ ଆନୁମାନିକ ୧,୬୩୯ କୋଟି ଟଙ୍କା ବ୍ୟୟ ହେବ । ଏଥି ସହିତ ଦୀର୍ଘ ଦିନରୁ ରାଇରଙ୍ଗପୁରବାସୀଙ୍କ ଦାବି ଥିବା ବାଦାମପାହାଡ଼ରୁ କେନ୍ଦୁଝର ନୂତନ ରେଳ ଲାଇନର ଦୂରତା ପ୍ରାୟ ୮୨ କିଲୋମିଟର ଥିବା ବେଳେ, ଏଥିରେ ଆନୁମାନିକ ୨,୧୦୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରିବ । ଅନ୍ୟ ଏକ ପ୍ରକଳ୍ପ, ବାଙ୍ଗିରିପୋଷିରୁ ଗୋରୁମହିଷାଣି ନୂତନ ରେଳ ଲାଇନର ଲମ୍ବ ୮୬ କିଲୋମିଟର ରହିଛି । ଉକ୍ତ ରେଳ ଲାଇନ ପାଇଁ ଆନୁମାନିକ ୨,୫୪୯ କୋଟି ଟଙ୍କା ବ୍ୟୟ ହେବ । ଏହି ଲାଇନ ପ୍ରକଳ୍ପ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀରୁ ବାଙ୍ଗିରିପୋଷିକୁ ସଂଯୋଗ କରିବ । ଏହି ତିନୋଟି ରେଳପଥରେ ଟ୍ରେନ ଗଡିଲେ, ଏ ଅଞ୍ଚଳରବାସୀ ରେଳ ସୁବିଧା ପାଇପାରିବେ ।