ଭୁବନେଶ୍ବର: 5 ଦିନିଆ ଗସ୍ତରେ ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଆଜି ଅପରାହ୍ନରେ ବାୟୁସେନା ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ସ୍ବାଗତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ମେୟର, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ବର ଡିସିପି ପ୍ରମୁଖ ମଧ୍ୟ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ସେଠାରୁ ରାଷ୍ଟ୍ରପତି ସୁରକ୍ଷାବଳୟ ମଧ୍ୟରେ ନିଳାଦ୍ରୀବିହାର ଛକରେ ପହଞ୍ଚି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ରାଷ୍ଟ୍ରପତିଙ୍କ କାରକେଡ୍ ରାଜଭବନରେ ପହଞ୍ଚିଛି । ଆଜି ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି (ବୁଧବାର) ରାଷ୍ଟ୍ରପତି ପୁରୀରେ ହେବାକୁ ଥିବା ଭାରତୀୟ ନୌସେନା ଦିବସରେ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବେ । ପୂର୍ବାହ୍ନରେ ସେ ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ । ଏହାପରେ ପୁରୀ ରାଜଭବନରେ କିଛି ସମୟ ଅତିକ୍ରାନ୍ତ କରି ଅପରାହ୍ନରେ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ ରାଷ୍ଟ୍ରପତି ।
- କାଲି ପୂର୍ବାହ୍ନରେ ପହଞ୍ଚିବେ ପୁରୀ:-
ଆସନ୍ତାକାଲି (୪ ତାରିଖ) ସକାଳ ୯ଟାରେ ରାଜଭବନରୁ ବାହାରି ୯.୨୦ ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ ସ୍ବତନ୍ତଚ୍ର ବିମାନ ଯୋଗେ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ ପଡିଆରେରେ ପହଞ୍ଚିବେ । ୧୦.୦୫ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିରରୁ ବାହାରି ୧୦.୫୦ରେ ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ ପହଞ୍ଚି ୭୫ ତମ ବାର୍ଷିକୀ ଉତ୍ସବରେ ଯୋଗଦେବେ ।