ପୁରୀ: ଆସନ୍ତା ୧୦ ତାରିଖ (ଶନିବାର)ରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ଏହାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କାରିଗର । ପଦ୍ମବେଶ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ବେଶ କାରିଗରମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ବେଶ ନିଷ୍ଠାର ସହ ହବିଷାନ୍ନ ଗ୍ରହଣ କରି କାରିଗରମାନେ ବେଶ ନିର୍ମାଣରେ ଲାଗିଛନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ ଦର୍ଶନ କରିବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଭକ୍ତ ।
୧୦ ତାରିଖ ଶନିବାର ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ । କିମ୍ୱଦନ୍ତୀ ଅନୁଯାୟୀ ସନ୍ଥ ମନୋହର ଦାସଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବେଶରେ ଦର୍ଶନ ଦେଇଥିଲେ । ସେବେଠାରୁ ଭାଦ୍ରବ ଶୁକ୍ଳ ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଆସୁଛି । ପଣ୍ତୁ ପୂର୍ଣ୍ଣିମାଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତି ଆରମ୍ଭ ହୋଇଛି । ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଉଛି । ଏହି ବେଶ ନିର୍ମାଣ କାର୍ଯ୍ୟରେ ଦରଜି ଓ ଚିତ୍ରକାର ସେବକ ମଧ୍ୟ ନିୟୋଜିତ ହୋଇଥାନ୍ତି । ଆବଶ୍ୟକ ସୋଲ ସଂଗ୍ରହ କରାଯାଇ ତାକୁ କଟାଯିବା ପରେ ପରସ୍ତ ପରସ୍ତ କରି ଯୋଡ଼ାଯାଇ ଶ୍ରୀମୁଖ ପଦ୍ମ ଆକୃତିର ପ୍ରସ୍ତୁତ କରାଯାଏ । କରପଲ୍ଲଭ, ହଂସ ଓ ଡାଳିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଶ୍ରୀମୁଖ ପଦ୍ମ ଯୋଡ଼ାଯିବା କାର୍ଯ୍ୟ ଖୁବଶୀଘ୍ର ଶେଷ ହୋଇଯିବ ବୋଲି ଶ୍ରୀମନ୍ଦିର ପାରମ୍ପାରିକ ବେଶ କାରିଗର କହିଛନ୍ତି ।