ବରଗଡ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ବେଶ ଚଳଚଞ୍ଚଳ ବରଗଡ । ଆଉ କିଛିଦିନ ପରେ ବରଗଡ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଲି ହେବ ଗୋପପୁର । ଜାନୁଆରୀ 3 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧନୁଯାତ୍ରାର ଭିନ୍ନ ଭିନ୍ନ ଦୃଶ୍ୟ । ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ଅଭିନେତାମାନେ ଅଭ୍ୟାସ ଜୋରଦାର ରଖିଥିବା ବେଳେ ପ୍ରସ୍ତୁତି ଜାରି ରହିଛିି ।
୧୧ ଦିନ ଧରି ଚାଲିବ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା:
ଆସନ୍ତା ଜାନୁଆରୀ 3 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା | ୩ ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ବିରାଟ ଖୋଲା ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଯାତ୍ରା । ଏହି ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ଧନୁଯାତ୍ରା ଆରମ୍ଭର ବହୁଦିନ ପୂର୍ବରୁ ଆରମ୍ଭ ହୋଇଯାଇଥାଏ ନାଟକ ପାଇଁ ଅଭ୍ୟାସ ଆଖଡା ।
କଂସ ଭୂମିକାରେ ନଜର ଆସିବେ ଭୁବନେଶ୍ୱର ପ୍ରଧାନ:
ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିବା ବେଳେ ଗତବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ବିବାଦରେ ଛନ୍ଦି ହେବାପରେ ଏଥର ତାଙ୍କୁ କଂସ ଭୂମିକାରେ ଅଭିନୟ କରିବା ପାଇଁ ଧନୁଯାତ୍ରା କମିଟି ପକ୍ଷରୁ ବାଦ ଦିଆଯାଇଛି l ତେବେ ଚଳିତ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ ପାଇଁ ନୂତନ କଂସ ଚୟନ ପାଇଁ ଅଡିସନ କରାଯାଇଥିଲା ଏବଂ ସେଥିରେ ଉତ୍ତମ ପ୍ରଦର୍ଶନ କରି ଭୁବନେଶ୍ୱର ପ୍ରଧାନ କଂସ ଅଭିନୟ ପାଇଁ ସୁଯୋଗ ପାଇଛନ୍ତି । ପୂର୍ବରୁ ମଧ୍ୟ ଏହି ଭୂମିକାକୁ ନିଖୁଣ ଭାବେ ଉପସ୍ଥାପନ କରିଛନ୍ତି ଭୁବନେଶ୍ୱର ପ୍ରଧାନ ।
ଏହି ଅବସରରେ କଂସ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ଭୁବନେଶ୍ୱର ପ୍ରଧାନ କହିଛନ୍ତି," ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଖଡା ପୂଜା ହୋଇଛି । ଆଖଡାଶାଳ ପ୍ରକମ୍ପିତ ହୋଇଯାଇଛି । ମୋର ଯେଉଁ ସହକଳାକାରମାନେ ଅଛନ୍ତି ସେମାନେ ମଧ୍ୟ ବହୁତ ଚେଷ୍ଟା କରୁଛନ୍ତି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ସରସ ସୁନ୍ଦର କରିବେ ଓ ଦର୍ଶକ ଦେବତାଙ୍କୁ ସମସ୍ତ ମିଳିମିଶି ଖୁସି କରିବୁ ବୋଲି ଆମର ଆଶା ତଥା ବିଶ୍ୱାସ ।"