ବ୍ରହ୍ମପୁର:ଗଞ୍ଜାମ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଶ୍ବବିଦ୍ୟାଳୟ ପରିସର । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଉଛି ଭଞ୍ଜ ବିହାର । ତେବେ ସମୟ ପାଖେଇ ଆସୁଥିବାରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ପରଠୁ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ । ତେଣୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି ।
ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଆଜି ସେ ନିଜ ଜନ୍ମ ମାଟି ମୟୂଭଞ୍ଜରେ ପହଞ୍ଚିଛନ୍ତି । ସେ ଆସନ୍ତା ୧ ତାରିଖରେ ଭଞ୍ଜ ବିହାରର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରିବେ । ସେହି ଦିନ ରାଷ୍ଟ୍ରପତି ସକାଳ ୧୦ଟା ୪୫ମିନିଟରେ ବିଶ୍ବବିଦ୍ୟାଳୟର ପରିସରରେ ରହିଥିବା ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ଓଲ୍ଲାଇବା ସୂଚନା ମିଳିଛି । ପରେ ବିଶ୍ବବିଦ୍ୟାଳୟରର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେପଟେ ରାଷ୍ଟ୍ରପତିଙ୍କ ଏହି ଗ୍ରସ୍ତ ପୂର୍ବରୁ ସଜେଇ ହେଉଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ରାସ୍ତାଘାଟ ମରାମତି ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟର ସମସ୍ତ ପାଚେରୀକୁ ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ କଳା ଓ ସଂସ୍କୃତିକୁ ଚିତ୍ରକଳା ମାଧ୍ୟମରେ ସଜ୍ଜିତ କରୁଛନ୍ତି ଚିତ୍ରକର ।
ଏହି ଉତ୍ସବରେ ୪୩ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଡିଗ୍ରୀ ପ୍ରଦାନ କରାଯିବା ସହ ୩୫ଟି ବିଭାଗର ଟପ୍ପର ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୩ଜଣଙ୍କୁ ଡିଲିଟ୍, ଜଣଙ୍କୁ ଡିଏସ୍ସି ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି । ସେପଟେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ପର ପ୍ରଥମଥର ପାଇଁ ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତିଙ୍କ ଏଭଳି ଗ୍ରସ୍ତ ହେଉଥିବା ଯୋଗୁଁ ସ୍ଥନୀୟ ଅଞ୍ଚଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୧ ପ୍ଳାଟୁନ ପୋଲିସ ଫୋର୍ସ ସହିତ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍.ପି ।