ପୁରୀ:ପୁରୀ ସମୁଦ୍ରରେ ପରାକ୍ରମ ଦେଖାଇବ ନୌସେନା । ଡିସେମ୍ବର 4ରେ ନୌ-ସେନା ଦିବସ ଉପଲକ୍ଷେ ଏଥର ଜଗନ୍ନାଥ ଧାମ ପୁରୀ ସମୁଦ୍ରରେ ଯୁଦ୍ଧକୌଶଳ ଦେଖାଇବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ସଜ୍ଜିତ ହେଉଛି ରାଜଭବନ । ମହାମହିମଙ୍କୁ ସ୍ବାଗତ କରିବାକୁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି କରୁଛି ଜିଲ୍ଲା ପ୍ରଶାସନ ।
ଓଡ଼ିଶାରେ ପ୍ରଥମ ଥର ନୌସେନା ଦିବସ ପାଳନ:
ଚଳିତ ଥର ପ୍ରଥମ ଥର ପାଇଁ ଓଡ଼ିଶାର ପୁରୀ ଉପକୂଳରେ ଭାରତୀୟ ନୌ-ସେନା ଦିବସ ପାଳନ କରିବ । ଏଥିରେ ୨୫ଟି ଯୁଦ୍ଧ ଜାହାଜ ସହ ୪୦ ଟି ଏୟାରକ୍ରାଫ୍ଟ ଏବଂ ବିଭିନ୍ନ ସାମରିକ କମାଣ୍ଡୋ ସାମିଲ୍ ହୋଇ ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ । ପୁରୀ ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତିଙ୍କ ସହିତ ଅନ୍ୟାନ୍ୟ ଭିଭିଆଇପି ମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି ।
ଏମିତି ଚାଲିଛି ପ୍ରସ୍ତୁତି:
ସାଧାରଣ ଲୋକମାନେ ନୌସେନାର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ର ଦେଖିବା ପାଇଁ ପୁରୀ ବେଳାଭୂମିରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି । ଦିଗବାରେଣି ଛକ ଠାରୁ ଷ୍ଟ୍ରଲିଙ୍ଗ ମୁହାଣ ବେଳାଭୂମି ଏବଂ ନିଳାଦ୍ରୀ ବିଚରୁ ପେଣ୍ଠକଟା ବିଚ୍ରେ ସାଧାରଣ ଲୋକେ ନୌସେନାର ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ନୌସେନାର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପୁରୀ ପୋଲିସ ପକ୍ଷରୁ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯିବ । ଓଡ଼ିଶାର ଗର୍ବ ଓ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ଏବଂ ନୌସେନାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦେଖିବା ପାଇଁ ଏବେ ପୁରୀ ସହରବାସୀ ଏବଂ ପର୍ଯ୍ୟଟକ ବେଶ୍ ଉତ୍ସାହିତ ଅଛନ୍ତି ।
ମହାମହିମଙ୍କ ଗସ୍ତ ସୂଚୀ:
ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୪ ତାରିଖ ପୂର୍ବାହ୍ନରେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଯାଇ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନ ଯାଇ ବିଶ୍ରାମ ନେବେ । ଏହାପରେ ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ ବିଚକୁ ଯାଇ ନୌସେନା ଦିବସ ଅବସରରେ ନୌସେନା ପକ୍ଷରୁ ପ୍ରଦର୍ଶନ ହେବାକୁ ଥିବା ବିଭିନ୍ନ ଯୁଦ୍ଧ କୌଶଳ ଏବଂ ଏୟାର ସୋ’କୁ ଦେଖିବେ ।
ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି:
ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ଉକ୍ତଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହେବ । ସେହିପରି ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ଥିବାରୁ ପୁରୀ ରାଜଭବନକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ସାଜସଜ୍ଜା କରାଯାଇଛି ।
ମତ୍ସ୍ୟଜୀବୀଙ୍କ ପାଇଁ କଟକଣା:
ପୁରୀ ସମୁଦ୍ର ଉପକୂଳରେ ନୌସେନାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଜାରୀ କରାଯାଇଛି । ନୌବାହିନୀର ଯୁଦ୍ଧ ଜାହାଜ ଯେଉଁ ସ୍ଥାନରେ ରହିବେ ସେହି ଅଞ୍ଚଳକୁ ଡଙ୍ଗା ଏବଂ ଟ୍ରଲର ଯାତାୟାତକୁ ନିଷିଦ୍ଧ କରାଯାଇଛି । ତେବେ ଡିସେମ୍ବର ୪ ତାରିଖ ଆଉ ମାତ୍ର ଅଳ୍ପଦିନ ଥିବାବେଳେ ଭାରତୀୟ ନୌସେନାର ସ୍ବତନ୍ତ୍ର ପ୍ରଦର୍ଶନୀକୁ ଦେଖିବା ପାଇଁ ଏବେ ସମସ୍ତେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି ।
ପ୍ରସ୍ତୁତି ଜୋରଦାର ଚାଲିଛି:
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ‘ଆଗାମୀ ଡ଼ିସେମ୍ବର ୪ ତାରିଖ ହେଉଛି ନୌସେନା ଦିବସ । ଏହା ଆମ ପାଇଁ ଗର୍ବ ଗୌରବର ଦିନ । ଆମ ପାଇଁ ସୌଭାଗ୍ୟର ବିଷୟ ଏହା ପ୍ରଥମ ଥର ପାଇଁ ଓଡ଼ିଶାରେ ଏବଂ ପୁରୀରେ ଅନୁଷ୍ଠିତ ହେଉଛି । ଏହି ଦିନ ନୌସେନା ପକ୍ଷରୁ ବିଭିନ୍ନ ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ ଦ୍ଵାରା ଯୁଦ୍ଧର କଳା କୌଶଳ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଯୋଗ ଦେବେ । ଏନେଇ ପ୍ରସ୍ତୁତି ଜୋର୍ ସୋରରେ ଚାଲିଛି ।
କଣ କଣ ବ୍ୟବସ୍ଥା ହୋଇଛି ସାଧାରଣ ଲୋକଙ୍କ ପାଇଁ ?