ଭୁବନେଶ୍ବର:ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଭାଇରସ ଜନ୍ମରୁ ଦେଖା ଦେଇଥାଏ । ସେଥିପାଇଁ ଯେଉଁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଏବଂ ଜ୍ଵର ଆସିଲେ ରୁବେଲା ଟେଷ୍ଟିଂ କରିବା ନେଇ ପରାମର୍ଶ ଦିଆଯାଉଥିବା କଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, "ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀଙ୍କ ଟେଷ୍ଟିଂ କରାଯାଇଥିଲା। ଦୁଇଟି ବ୍ଲକରେ ୧୮ ଜଣଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ରହିଥିଲା । ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏହାକୁ ନେଇ ଭୟଭିତ କି ଆତଙ୍କିତ ହୁଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ବିଭାଗର ଆରଆରଟି ଟିମ ଘଟଣାସ୍ଥଳକୁ ଯାଇ ସର୍ଭିଲାନ୍ସ କରୁଛନ୍ତି । ଇମ୍ମୁନାଇଜେସନକୁ ବିଶେଷ ଭାବରେ ଗୁରୁତ୍ଵ ଦିଆଯାଉଛି । ବିଶେଷ କରି ବର୍ତ୍ତମାନ ସୁଦ୍ଧା ୧ ବର୍ଷ, ୬ ବର୍ଷ ଏବଂ ୮ ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି । ତେବେ ଏନେଇ ସେମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରବେଲାକୁ ନେଇ କୌଣସି ନୂଆ ମାମଲା ସାମ୍ନାକୁ ଆସି ନାହିଁ । ସମସ୍ତେ ସୁସ୍ଥ ଅଛନ୍ତି । ମୋଟ୍ ୧୮ ଟି ସମ୍ପଲରୁ ୨ ଜଣ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ସ୍ଥିତି ସ୍ୱାଭାବିକ ରହିଛି ।"