କେନ୍ଦ୍ରାପଡା:ଭୂମିହୀନଙ୍କୁ ଚିହ୍ନଟ କରି ଜମି ଦେଇଥିଲେ ସରକାର । ସହରାଞ୍ଚଳ ଆବାସ ଯୋଜନାରେ ସାମିଲ କରି କାର୍ଯ୍ୟାଦେଶ ମଧ୍ୟ ଦେଲେ । କିନ୍ତୁ ଘର କାମ ଆରମ୍ଭ ପୂର୍ବରୁ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲା ମ୍ୟୁନିସିପାଲିଟି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରୁ । ଦିନ ମଜୁରୀ ଲାଗି ପରିବାର ପୋଷୁଥିବା ଲୋକଟି ଘରଟିଏ ତିଆରି କରିବାରୁ ବଞ୍ଚିତ । ଦିନରେ ଖରା ଆଉ ରାତିରେ ତାରା ଦେଖିବା ହେଲା ସାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।
ଘର କରିବାରୁ ବଞ୍ଚିତ ଭୂମିହୀନ:
ସୂଚନା ଯୋଗ୍ୟ, ଦୀର୍ଘ ବର୍ଷ ଧରି କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଭଗେଶ୍ଵରପୁର ମୌଜାରେ କିଛି ପରିବାର ସରକାରୀ ସ୍ଥାନରେ ବସବାସ କରୁଥିଲେ । ସରକାରଙ୍କ ପ୍ରଦତ୍ତ ଖଜଣା କାଟୁଥିବାରୁ ୨୦୨୦-୨୦୨୩ ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାପାଳ ଥିବା ତଥା ବର୍ତ୍ତମାନ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସ୍ୱାକ୍ଷରରେ ୯ଟି ପରିବାରକୁ ୩୨୩ ବର୍ଗଫୁଟର ଜାଗା ଚିହ୍ନଟ କରାଯାଇ, ସେମାନଙ୍କୁ ଭୂମିହୀନ ପଟ୍ଟା ପ୍ରଦାନ କରାଯାଇଥିଲା । ପରେ ସେହି ପରିବାରକୁ ଆବାସ ଯୋଜନାରେ ଘର କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରିଥିଲା କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି । ହେଲେ ପୁଣି ସେମାନଙ୍କୁ ସେଠାରେ ଘର ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ପ୍ରଶାସନ ।
ଏମିତି କହିଲେ ସ୍ଥାନୀୟ ବାସିନ୍ଦା:
ଏନେଇ ସ୍ଥାନୀୟ ବାସିନ୍ଦା କୁନି ସାହୁ କହିଛନ୍ତି ,"ଆମେ ବାପା, ଅଜା ଅମଳରୁ ଏହି ଭଗେଶ୍ଵରପୁର ମୌଜାରେ ରହିଆସୁଛୁ । ଆମକୁ ଜାଗା ପଟ୍ଟା ମିଳିଛି । ଘର କରିବା ପାଇଁ ୱାର୍କ ଅର୍ଡର ମଧ୍ୟ ମିଳିଛି । ହେଲେ ମ୍ୟୁନିସିପାଲିଟି ଘର କାମ ଆରମ୍ଭ କରିବା ପାଇଁ ସହଯୋଗ କରୁନାହିଁ । ଏନେଇ ଆମେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲୁ ହେଲେ କୌଣସି ସୁଫଳ ମିଳୁନାହିଁ ।"