ଭୁବନେଶ୍ବର: ଓଡ଼ିଶାରେ ଦୂର ହେବ ଆଳୁ ସଂକଟ । ଆସନ୍ତାକାଲି ସୁଦ୍ଧା ଓଡ଼ିଶାକୁ ଆସିବ ୩୦୦ ଟ୍ରକ ଆଳୁ । ଉତ୍ତରପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ସେହିପରି କଳାବଜାରୀଙ୍କ ଉପରେ ତୀକ୍ଷ୍ମ ନଜର ରକାଯାଇଛି । ଯଦି କୌଣସି ବ୍ୟବସାୟୀ ଅଧିକ ଦରରେ ଆଳୁ ବିକ୍ରି କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
'ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଭଲ ବାତାବରଣରେ ଭଟ୍ଟା ପକାଉଛି':
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଥିବା ରିପୋର୍ଟ ଆସିଛି । ଅତି ବେଶୀରେ ତାଙ୍କର ୫ ଲକ୍ଷ ମେଟ୍ରିକ ଟନ୍ ଆଳୁ ଆବଶ୍ୟକ ଅଛି । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । ଯେଉଁ ବେପାରୀ ମାନେ ଆଳୁ ବାହାରକୁ ବିକ୍ରି କରିବା ପାଇଁ ରଖିଛନ୍ତି । ଯଦି ସେମାନେ ଅନ୍ୟ ରାଜ୍ୟକୁ ରପ୍ତାନି କରିପାରିବେନି ତେବେ ଆଳୁ ପଚି ଯିବ ଓ କ୍ଷତି ସହିବେ । ତେଣୁ ବ୍ୟବସାୟୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ଵାଭାବିକ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । କେଉଁ ରାଜ୍ୟରେ କେଉଁ ସାମଗ୍ରୀ ଅଧିକ ଉତ୍ପାଦନ ହୁଏ, ସେ ରାଜ୍ୟ ଅନ୍ୟ ରାଜ୍ୟକୁ ରପ୍ତାନି କରେ । ଯଦି କୌଣସି ରାଜ୍ୟ କିଛି ଜିନିଷ ଅଧିକ ଉତ୍ପାଦନ କରେ ତେବେ ସେ ଅନ୍ୟ ରାଜ୍ୟକୁ ରପ୍ତାନୀ କରେ । ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦ୍ଵାରା ଏହି ଭଲ ବାତାବରଣ ଉପରେ ଭଟ୍ଟା ପଡୁଛି । ତାଙ୍କର ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ନିଷ୍ପତ୍ତି ଠିକ୍ ହେଲା ନାହିଁ ।"
ଏହା ମଧ୍ୟ ପଢ଼ନ୍ତୁ...‘ପଶ୍ଚିମବଙ୍ଗକୁ ମାଗିବୁନି ଆଳୁ, ୨ ବର୍ଷରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା’ |