କଟକ:ପୁଣି କନ୍ଦାଇଲା ଆଳୁ । ବିଶେଷକରି ଅମଳ ସମୟରେ ଆଳୁର ଦର ବୃଦ୍ଧି ଖାଉଟିଙ୍କୁ ବେଶ ପ୍ରଭାବିତ କରିଛି । କିଛି ଦିନ ପୂର୍ବରୁ ଆଳୁ ଦର ସ୍ୱାଭାବିକ ନଥିଲେ ମଧ୍ୟ ଖାଉଟିଙ୍କ ପାଇଁ ଆଶ୍ବସ୍ତି ଥିଲା । ମାତ୍ର ଗତ ୩ ରୁ ୪ ଦିନ ହେବ ଆଳୁ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଯଦିଓ ଅନ୍ୟ ପରିବା ଦର ସ୍ୱାଭାବିକ ରହିଛି, ମାତ୍ର ଆଳୁର ଦର କିଲୋ ପ୍ରତି ୪୦ ରୁ ୪୫ ଟଙ୍କାରେ ବିକ୍ରି ହେଉଛି । ଯାହା ପୂର୍ବରୁ କିଲୋପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରୟ ହେଉଥିଲା ।
ଆଳୁଦର ନେଇ ଅସନ୍ତୁଷ୍ଟ ଖାଉଟି:
କଟକ ଛତ୍ର ବଜାରରୁ ପରିବା କିଣୁଥିବା ଜଣେ ଖାଉଟି ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି ଯେ, "ଆଳୁ ଦର ବଢ଼ିବା କ୍ଷେତ୍ରରେ ରାଜନୀତି ରହୁଛି । ବେପାରୀମାନେ ଆଳୁ ଷ୍ଟକ ରଖି ଦାମ ବଢ଼ାଇ ଦେଉଛନ୍ତି । ଫଳରେ ଖାଉଟିମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କୁ ଅନୁରୋଧ କରୁଛୁ, ଯଦି ସଠିକ ଭାବରେ ଯାଞ୍ଚ କରିବେ ତେବେ ଆଳୁ ଦର ସ୍ବାଭାବିକ ହେବ ।"
ଖାଉଟିଙ୍କୁ ପସନ୍ଦ ଆସୁନି ଉତ୍ତରପ୍ରଦେଶ ଆଳୁ !:
କଟକ ଛତ୍ରବଜାର ପରିବା ଵ୍ୟଵସାୟୀ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁକହିଛନ୍ତି, "ଅଦିନିଆ ବର୍ଷା ଯୋଗୁଁ ଆଳୁ ସମସ୍ୟା ସୃଷ୍ଟି ହୋଇଛି । ରାଜ୍ୟରେ ଯେତେବେଳେ ଆଳୁ ସମସ୍ୟା ଦେଖା ଦେଇଥିଲା ସେତବେଳେ ଉତ୍ତରପ୍ରଦେଶରୁ ଆଳୁ ଆସୁଥିଲା । ଉତ୍ତରପ୍ରଦେଶ ଆଳୁ ଭଲ ପଡ଼ିଲା ନାହିଁ । ଆଳୁରେ ଅନେକ ପରିମାଣରେ ଦାଗି ଓ ନଷ୍ଟ ବାହାରିବାରୁ ଗ୍ରାହକମାନେ ଏହାକୁ କିଣିବାକୁ ଆଗ୍ରହ କଲେ ନାହିଁ । ଵ୍ୟଵସାୟୀମାନଙ୍କୁ ଏଥିରେ କ୍ଷତି ସହି ବାକୁ ପଡିଲା । ପଶ୍ଚିମବଙ୍ଗ ସରକାର କଟକଣା ଲାଗି ଥିବାରୁ କିଛି ଵ୍ୟଵସାୟୀମାନେ ଲୁଚା ଛପାରେ ଆଳୁ ଆଣି ବ୍ୟବସାୟ କଲେ । ମାତ୍ର ଉତ୍ତରପ୍ରଦେଶ ଆଳୁ ଅପେକ୍ଷା ପଶ୍ଚିମବଙ୍ଗ ଆଳୁରେ ଅଧିକ ସ୍ୱାଦ ରହୁଥିବାରୁ ଗ୍ରାହକମାନେ ପଶ୍ଚିମବଙ୍ଗ ଆଳୁ କିଣୁଛନ୍ତି । ପଶ୍ଚିମବଙ୍ଗ ଆଳୁ ଆବଶ୍ୟକ ଅନୁସାରେ ନ ଆସିବାରୁ ଏହି ସମସ୍ୟା ଦେଖା ଦେଇଛି ।