ନୂଆପଡା: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ ଥିବା ବେଳେ ନୂଆପଡା ଓ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କାର୍ଯ୍ୟ ଶେଷ ହୋଇଛି । ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଏବଂ ନୂଆପଡା ନିର୍ବାଚନ ମଣ୍ଡଳୀରେ ସମୁଦାୟ 604ଟି ମତଦାନ କେନ୍ଦ୍ର ରହିଥିଲା । ସେଥିମଧ୍ୟରୁ 68 ଗୋଟି ମତଦାନ କେନ୍ଦ୍ର ସମ୍ବେଦନଶୀଳ ରହିଥିଲା । ଏହା ଭିତରୁ ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟ ମଧ୍ୟରେ ମୋଟ 7ଟି ମତଦାନ କେନ୍ଦ୍ର ରହିଥିଲା । ଏହି ମତଦାନ କେନ୍ଦ୍ରକୁ ବାୟୁ ସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୋଲିଂ ଅଫିସରଙ୍କୁ ପହଞ୍ଚାଇଥିଲା ଜିଲ୍ଲା ପ୍ରଶାସନ ।
ଆଜି ମତଦାନ ଶେଷ ହେବା ପରେ 2ଟି ମତଦାନ କେନ୍ଦ୍ରର ପୋଲିଂ ଅଫିସରଙ୍କୁ ହେଲିକେପ୍ଟର ଯୋଗେ ଷ୍ଟ୍ରଙ୍ଗରୁମରେ ହଞ୍ଚାଇଛି ପ୍ରଶାସନ । ସେହପରି ପରେ ଅନ୍ୟ 5ଟି ମତଦାନ କେନ୍ଦ୍ରରେ ଭୋଟିଂ ବିଳମ୍ବ ହୋଇଥିବାରୁ ପୋଲିଂ ଅଫିସରଙ୍କୁ ହେଲିକେପ୍ଟର ଯୋଗେ ଅଣାଯାଇ ନାହିଁ । ରାତ୍ରିରେ ହେଲିକେପ୍ଟର ଉଡାଣ ଭରିବା ବାରଣ ଥିବା କାରଣରୁ ଅନ୍ୟ 5ଟି ମତଦାନ କେନ୍ଦ୍ରର ପୋଲିଂ ଅଫିସରଙ୍କୁ ସ୍ବତନ୍ତ୍ର ସେନା ସୁରକ୍ଷା ବଳରେ ଅଣାଯିବ ବୋଲି ନୂଆପଡା ଏସପି ଜି ରାଘବେନ୍ଦ୍ର ରେଡ୍ଡି ସୂଚନା ଦେଇଛନ୍ତି । ମତଦାତାଙ୍କ ପ୍ରବଳ ଭିଡ ଏବଂ ତ୍ରୁଟିପୂର୍ଣ୍ଣ EVM ପାଇଁ କିଛି ସ୍ଥାନରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା । ଫଳରେ ସେହିସବୁ ମତଦାନ କେନ୍ଦ୍ର ଗୁଡିକରେ ବର୍ତ୍ତମାନ ପର୍ଯ୍ୟନ୍ତ ମତଦାନ ବିଳମ୍ବ ହୋଇଥିବା ପ୍ରଶାସନ ପରକ୍ଷରୁ ସୂଚନା ମିଳିଛି ।