କଟକ: ଏକ ଘରୋଇ ହସ୍ପିଟାଲରେ କନ୍ଧମାଳ ବାବୁଲା ଦିଗାଳଙ୍କ ଅସ୍ତ୍ରୋପଚାର ପରେ ମୃତ୍ୟୁ ଘଟଣା ।ପରିବାର ପକ୍ଷରୁ ତାଙ୍କର ଅଙ୍ଗ ଚୋରି ହୋଇଥିବା ଅଭିଯୋଗ ପରେ ଆସିଲା ପୋଷ୍ଟମଟମ ରିପୋର୍ଟ । କିଡନୀ ଚୋରି ହୋଇନଥିବା ହେଲା ସ୍ପଷ୍ଟ ।ଏହି ଆଧାରରେ କଟକ ଘରୋଇ ହସ୍ପିଟାଲ ସଂଘ ସାମ୍ବାଦିକ ସମ୍ମିଳନୀରେ ରଖିଲା ଉତ୍ତର ।
ଅଙ୍ଗ ତସ୍କରୀ ମିଛ :
ହସ୍ପିଟାଲ କର୍ତ୍ତୃପକ୍ଷ ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ବାବୁଲାଙ୍କର କୌଣସି ଅଙ୍ଗ ଚୋରି ହୋଇନାହିଁ । ପରିବାର ଲୋକ ଉକ୍ତ ହସ୍ପିଟାଲ ବିରୋଧରେ ଯେଉଁ ଅଭିଯୋଗ ତାହାର କୌଣସି ସତ୍ୟତା ନାହିଁ । ମୃତଦେହ ବ୍ୟବଛେଦ ପୂର୍ବରୁ ନିକଟସ୍ତ ଥାନାକୁ ନ ଜଣାଇବା ହସ୍ପିଟାଲର ଭୁଲ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଂଘ ସ୍ୱୀକାର କରିଛନ୍ତି । ଅନ୍ୟପଟେ ଏପରି ଏକ ସମ୍ବେଦନଶୀଳ ଘଟଣାରେ କଟକ ଜୋନ-୪ର ଏସିପି ଉମାକାନ୍ତ ପ୍ରଧାନ କହିଛନ୍ତି, "ପୋଲିସକୁ ନଜଣାଇ ମୃତ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ହସ୍ପିଟାଲର ଭୁଲ ।ଏହି ଘଟଣାର ତଦନ୍ତ ଚାଲିଛି । ଯଦି ଆଉ କିଛି ଅଭିଯୋଗ ଆସେ, ତେବେ ତାହା ଉପରେ ତ୍ୱରିତ ତଦନ୍ତ ହେବ । "ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶ ପରେ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।
ORGAN TRAFFICKING CASE (ETV Bharat Odisha) କ'ଣ ଥିଲା ସମ୍ପୃର୍ଣ୍ଣ ଘଟଣା ?
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଟିକରବାଜୁ ଗାଁର ବାବୁଲା ଦିଗାଳ ପୁଅ ଓ ସ୍ତ୍ରୀଙ୍କୁ ନେଇ ବାଇକ ଯୋଗେ ଯାଉଥିବା ସମୟରେ ତୁମୁଡିବନ୍ଧ ଥାନା ଅଞ୍ଚଳର ଏକ ଲୁହା ବୋଝେଇ ଲୁହା ଛଡ଼ ବାଜିବା ଫଳରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ପରିବାର ଲୋକେ ପ୍ରଥମେ ତୁମୁଡିବନ୍ଧ ହସ୍ପିଟାଲ ଆଉ ତା ପରେ ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କୌଣସି ଏକ କାରଣବଶତଃ ଚିକିତ୍ସା ହୋଇପାରିନଥିଲା । ଏହାପରେ ପରିବାର ଲୋକେ କଟକ ସଦର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ଆଡ଼ମିଶନ କରି ଟଙ୍କା ଜମା କରିବାର କିଛି ସମୟ ପରେ ଡାକ୍ତର ବାବୁଲା ଦିଗାଳଙ୍କୁ ମୃତ ଘୋଷଣା କରିଥିଲେ ।
ପରିବାର ଲୋକେ କିପରି ସନ୍ଦେହ କରିଥିଲେ ?
ଗାଁକୁ ଆସିବା ସମୟରେ ପରିବାର ଲୋକେ ତାଙ୍କ ମୁଣ୍ଡ ଚିକିତ୍ସା ବଦଳରେ ତଳି ପେଟ କଟା ଯାଇଥିବା ଦେଖିବାକୁ ପାଇଥିଲେ ।ପରିବାର ଓ ଗାଁ ଲୋକଙ୍କ ସହମତିରେ ଗାଁ ମଶାଣୀରେ ତାଙ୍କ ମୃତଦେହକୁ କବର ଦିଆଯାଇଥିଲା ।କିନ୍ତୁ ପୁଣି ଥରେ ସନ୍ଦେହ କରି ପରିବାର ଲୋକେ ଥାନାରେ ଅଭିଯୋଗ ଆଣିବା ପରେ ପୁଣି ଥରେ ପୋଲିସ ମଶାଣୀରୁ କବର ଖୋଳି ମୃତଦେହକୁ ବାହାର କରି ପୋଷ୍ଟ ମର୍ଟମ୍ ପାଇଁ ପଠେଇଥିଲା ।
ଇଟିଭି ଭାରତ, କଟକ