ମାଲକାନଗିରି:ସାଧାରଣ ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମାଲକାନଗିରି ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । କେନ୍ଦ୍ରୀୟ ଫୋର୍ସ ‘ବିଏସଏଫ’ର ଗୋଟିଏ କମ୍ପାନୀ, ଓଡ଼ିଶା ପୋଲିସର ଗୋଟିଏ କମ୍ପାନୀ ସହିତ ‘ଏସଓଜି’, ‘ଡିଭିଏଫ’ ବାହିନୀର ସଶସ୍ତ୍ର ଯବାନ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳାର ସହ ମାଲକାନଗିରି ସହର ସମେତ ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ନିର୍ବାଚନ ଶେଷ କରିବା ପାଇଁ ପୋଲିସ ପକ୍ଷରୁ ଏହି ପ୍ରୟାସ କରାଯାଇଛି ।
ମାଲକାନଗିରି ଏସପି ନିତେଶ ୱାଦବାନିଙ୍କ ନିର୍ଦ୍ଦେଶକ୍ରମେ ସହରର ଡି.ଏନ.କେ ଛକଠାରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରାଯାଇ କଲେଜ ଛକ ହୋଇ ସିଡିଏମଓ ଅଫିସ ଛକରେ ପହଞ୍ଚିଥିଲା । ପରେ ପରେ ବାଲିମେଳା ଛକ ସହ ବସଷ୍ଟାଣ୍ଡ ଦେଇ ସହର ମଧ୍ୟରେ ଫ୍ଲାଗ ମାର୍ଚ୍ଚ କରିଥିଲା ପୋଲିସ । ଆସନ୍ତା ମାସ ୧୩ ତାରିଖରେ ମାଲକାନଗିରି ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି । ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ପାଇଁ ପୋଲିସ ପକ୍ଷରୁ ଏହି ପ୍ରୟାସ କରାଯାଇଛି ।
ଏହି ଅବସରରେ ମାଲକାନଗିରି ଏସଡିପିଓ ସଚିନ ପାଟିଲ, ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହିତ ଜିଲ୍ଲା ପୋଲିସ ଓ ବିଏସଏଫ ସୁରକ୍ଷା ବାହିନୀର ସଶସ୍ତ୍ର ଯବାନ ସାମିଲ ହୋଇଥିଲେ । ଗତ କିଛି ଦିନ ହେବ ଜିଲ୍ଲାର ମାଥିଲି, ଚିତ୍ରକୋଣ୍ଡା, ଓର୍କେଲ, କାଲିମେଳା, ମଟୁ ଅଞ୍ଚଳରେ ପୋଲିସ୍, ବିଏସ୍ଏଫ ଓ ଓଏସ୍ଏପି ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ଜାରି ରହିଛି ।