ରାୟଗଡ଼ା:ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ରାୟଗଡ଼ା ଜିଲ୍ଲାରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କଡାକଡି କରାଯାଇଛି । ସହରରେ ଚେକିଂ ଓ ବ୍ଲକିଂ ଜୋରଦାର କରିଛି ପୋଲିସ । ମେ' ୧୩ ତାରିଖ ଦିନ ରାୟଗଡା ଜିଲ୍ଲାରେ ମତଦାନ ଥିବାବେଳେ ଗୁରୁବାରଠାରୁ ସହରରେ ନାଇଟ ବ୍ଲକିଂ ଆରମ୍ଭ ହୋଇଛି । ସମ୍ବେଦନଶୀଳ ବୁଥରେ ଥିବା ଭୋଟରଙ୍କ ମନରେ ନିର୍ବାଚନୀ ହିଂସା ଦୂର କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏସପି ହରୀଶ ବି.ସିଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ଲକିଂ କରାଯାଇଛି ।
ନିର୍ବାଚନ ସମୟରେ ବ୍ୟାପକ ମାତ୍ରାରେ ମଦ ଓ କଳା ଟଙ୍କା କାରବାର ହୋଇଥାଏ । ଏହାକୁ ରୋକିବାକୁ ରାୟଗଡା ସହରରେ ଚେକିଂ ବ୍ଲକିଂ ଜୋରଦାର କରାଯାଇଛି । ସହରର ରେଲୱେ ଷ୍ଟେସନ ଛକରୁ ଆରମ୍ଭ ହୋଇ କୋରାପୁଟ ଛକ, କପିଳାସ ଛକ, ଆଞ୍ଜିଆପେଟା ଛକ ଯାଏଁ ପୋଲିସ ବ୍ଲକିଂ କରିଥିଲା । ଏଥିରେ ରାୟଗଡା ପୋଲିସର ଏକ ପ୍ଲାଟୁନ ଯବାନଙ୍କ ସହ ୧୦ରୁ ଊର୍ଦ୍ଧ୍ବ ଅଫସର ନିୟୋଜିତ ହୋଇଥିଲେ । ରାୟଗଡା ଆଇଆଇସି କେକେବିକେ କହଁରଙ୍କ ନେତୃତ୍ୱରେ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଏହି ବ୍ଲକିଂ କରାଯାଇଥିଲା । ଫଳରେ ରାୟଗଡା ଦେଇ ଆନ୍ଧ୍ର–କୋରାପୁଟ-ଗଜପତି–ଗଞ୍ଜାମ–କଳାହାଣ୍ଡି ଏବଂ ଫୁଲବାଣୀ ଦେଇ ଯାତାୟାତ କରୁଥିବା ସବୁ ଚାରି ଚକିଆ ଯାନକୁ ଯାଞ୍ଚ କରିବା ସହ ଟ୍ରାଫିକ ନିୟମ ଅନୁଯାୟୀ ମଦ୍ୟପାନ କରି ଚଲାଉଥିବା ଡ୍ରାଇଭରକୁ ଚିହ୍ନଟ କରି ଜରିମାନା ଆଦାୟ କରାଯାଇଥିଲା । ଯାଞ୍ଚ ସମୟରେ ଡ୍ରାଇଭିଂ ଲାଇସେନ୍ସକୁ କଡାକଡି ଭାବେ ଚେକିଂ କରାଯାଉଛି ।