ଓଡିଶା

odisha

ETV Bharat / state

ପୋଟଳ ଚାଷ ପାଇଁ ଚର୍ଚ୍ଚାରେ ଗାଁ, ହେଲେ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ ! - Farmers Suffering - FARMERS SUFFERING

Farmers Suffering In Girasinga: ବଜାରର ପନିପରିବା ଦର ଆକାଶ ଛୁଆଁ ରହିଥିବାବେଳେ ଏକ ଗାଁରେ ଅଧା ଦରରେ ମିଳୁଛି ପୋଟଳ । ପୋଟଳ ଚାଷ କରି ଚର୍ଚ୍ଚାରେ ଥିବା ଗାଁ ଲୋଡୁଛି ପ୍ରୋତ୍ସାହନ।

Pointed Gourd Farming
Pointed Gourd Farming (ETV Bharat Odisha)

By ETV Bharat Odisha Team

Published : Aug 5, 2024, 10:30 PM IST

ବୌଦ୍ଧ: ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବଜାରର ପନିପରିବା ଦର ଆକାଶ ଛୁଆଁ ରହିଛି । ହେଲେ ଏଭଳି ଏକ ଗାଁ ରହିଛି ଯେଉଁଠି ଅଧା ଦରରେ ମିଳୁଛି ପୋଟଳ ଭଳି ପରିବା । ଆଉ ପୋଟଳ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ବୌଦ୍ଧ ଜିଲ୍ଲା ସାଲୁଙ୍କୀ ନଦୀ ଅବବାହିକାରେ ଥିବା ଗ୍ରାମର ଚାଷୀ ।

Pointed Gourd Farming (ETV Bharat Odisha)

ପୋଟଳ ଚାଷ ପାଇଁ ପ୍ରସିଦ୍ଧ ଗାଁ:
ପୋଟଳ ଚାଷ ଦେଇଛି ଗାଁକୁ ସ୍ବତନ୍ତ୍ର ପରିଚୟ । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ଏକ ପ୍ରମୁଖ ଉପନଦୀ ସାଲୁଙ୍କୀ ନଦୀ । ବୌଦ୍ଧ ଜିଲ୍ଲାର ବଘିଆପଡା ନିକଟସ୍ଥ ପାଲଝାରଠାରେ ସାଲୁଙ୍କୀ ପ୍ରକଳ୍ପ ନିର୍ମାଣ ହୋଇଛି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ସାଲୁଙ୍କୀ ନଦୀର ସେହି 15 କିଲୋମିଟର ଉପତ୍ୟକାର ଉଭୟ ପାର୍ଶ୍ଵ ପନିପରିବା ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ । ଏହି ସାଲୁଙ୍କୀ ନଦୀ ଉପତ୍ୟକାରେ ରହିଛି ଏଭଳି ଏକ ଗ୍ରାମ ଯେଉଁଠି ବର୍ଷ ତମାମ ପନିପରିବା ଚାଷ ହୋଇଥାଏ । ସେହି ଗାଁର ନାଁ ହେଉଛି ଗିରାସିଙ୍ଗା ।

Pointed Gourd Farming (ETV Bharat Odisha)

ବାଇଗଣ ଉତ୍ପାଦନ ପାଇଁ ନାଁ କରିଥିଲା ଗିରାସିଙ୍ଗା:

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଢିଗାଁ ପଞ୍ଚାୟତର ରାଜସ୍ବ ଗ୍ରାମ ଗିରାସିଙ୍ଗା । ପୂର୍ବରୁ ଏହି ଗ୍ରାମର ବାଇଗଣ ପଶ୍ଚିମ ଓଡିଶାରେ ବେଶ ନା କରିଥିବାବେଳେ ବିଗତ କିଛି ବର୍ଷ ହେଲା ଏହି ଗିରାସିଙ୍ଗା ଗ୍ରାମର ଶତାଧିକ ଚାଷୀ ପରିବାର ପୋଟଳ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗିରାସିଙ୍ଗାର ଚାଷୀମାନେ ସାଲୁଙ୍କୀ ନଦୀର ଉପତ୍ୟକାରେ ନିଜ ନିଜ ସ୍ବଳ୍ପ ପଡିଆ ଜମିକୁ ଉର୍ବର କରି ସେଠାରେ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ପୋଟଳ ଚାଷ କରିଥାନ୍ତି । ଗିରାସିଙ୍ଗାର ପୋଟଳ କେବଳ ବୌଦ୍ଧ ଜିଲ୍ଲା କିମ୍ବା ପଶ୍ଚିମ ଓଡ଼ିଶାରେ ନୁହେଁ ଏହାର ଚାହିଦା ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ରହିଛି ।

ସ୍ବଳ୍ପ ଦରରେ ବିକ୍ରି:

ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ବଜାରରେ ପୋଟଳ କିଲୋ ପ୍ରତି 60 ଟଙ୍କାରୁ 80 ଟଙ୍କା ପର୍ଯ୍ୟନ୍ତ ରହିଛି । ଗିରିସିଙ୍ଗା ଗ୍ରାମର ଚାଷୀ ବର୍ତ୍ତମାନ ପୋଟଳ କିଲୋ ମାତ୍ର 25 ରୁ 30 ଟଙ୍କାରେ ବିକ୍ରି କରୁଛନ୍ତି । ସେହି ଗାଁର ଜଣେ ଚାଷୀ ବିଷ୍ଣୁ ଚରଣ ଅମାତ କହିଛନ୍ତି, "ଗିରାସିଙ୍ଗା ପୋଟଳର ଅହେତୁକ ଚାହିଦା ରହିଥିବା ସତ୍ତ୍ୱେ ବିଶେଷ ଲାଭ ମିଳୁନାହିଁ ।" ଉଦ୍ୟାନ କୃଷି ବିଭାଗର ଅସହଯୋଗ ଯୋଗୁଁ ଏଠାକାର ଚାଷୀଙ୍କୁ କୌଣସି କୃଷି ସମ୍ବନ୍ଧୀୟ ପରାମର୍ଶ କିମ୍ବା ସରକାରୀ ସହାୟତା ମିଳିପାରୁନଥିବା ଅଭିଯୋଗ ହୋଇଛି । ପୋଟଳର ବଜାର ଦର ଯଥେଷ୍ଟ ଥିଲେ ମଧ୍ୟ ଗିରାସିଙ୍ଗା ଗ୍ରାମର ଚାଷୀ ପୋଟଳର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗିରାସିଙ୍ଗାର ଚାଷୀ ମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details