ମାହପ୍ରଭୁଙ୍କ ଦର୍ଶନ ପରେ ବଡଦାଣ୍ଡରେ ରୋଡ ସୋ' କରିବେ ପ୍ରଧାନମନ୍ତ୍ରୀ (ETV Bharat Odisha) ପୁରୀ: ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିଶାଳ ରୋଡ ସୋ' କରିବେ । ଏହାସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମୋଦି । ମୋଦିଙ୍କ ରୋଡ ସୋ'ରେ ବିପୁଳ ସଂଖ୍ୟାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ ଦେବା ପାଇଁ ପୁରୀବାସୀଙ୍କୁ ଅନୁରୋଧ କରିଛି ବିଜେପି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତାକାଲି ସକାଳ ୬ଟା ୩୦ରୁ ୭ଟା ମଧ୍ୟରେ ଭୁବନେଶ୍ୱରରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ପହଞ୍ଚିବେ । ସକାଳ ୭ଟାରୁ ୭ଟା ୩୦ ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ଶ୍ରୀମନ୍ଦିର ସେବାୟତଙ୍କ ଠାରୁ ଆଶୀର୍ବାଦ ନେଇ ପୁରୀ ବଡ଼ଦାଣ୍ଡର ମର୍ଚ୍ଚିକୋଟ ଛକ ଠାରୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ଏକ ବିଶାଳ ରୋଡ଼ ସୋରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ଼ ସୋ'ରେ ପୁରୀବାସୀ ହଜାର ହଜାର ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ପୁରୀ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଓ କେନ୍ଦ୍ରମନ୍ତ୍ରୀ ଭୁପିନ୍ଦର ଯାଦବ ।
ଗତ ୨୦୧୩ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏବଂ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହା ପୂର୍ବରୁ ମଧ୍ୟ ବିଜେପିର କର୍ମକର୍ତ୍ତା ଭାବରେ ଅନେକ ଥର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ତାଙ୍କୁ ଭବ୍ୟ ସ୍ଵାଗତ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରିବା ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି ସମ୍ବିତ ପାତ୍ର ।
କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ କହିଛନ୍ତି ଯେ, ଓଡ଼ିଶାରେ ସରିଥିବା 4ଟି ଲୋକସଭା ନିର୍ବାଚନରେ ସବୁ ଆସନରେ ବିଜେପି ଜିତିବା ସହ ଏହା ଅନ୍ତର୍ଗତ 28 ବିଧାନସଭାରେ ଭଲ ପ୍ରଦର୍ଶନ କରିବ ବିଜେପି । କିନ୍ତୁ ହାରିବା ଭୟରେ ବିଜେଡି ନେତା ଓ କର୍ମୀ ରକ୍ତମୁଖା ହୋଇ ବିଜେପି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି । ଏହା ନିନ୍ଦନୀୟ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଆଗାମୀ ନିର୍ବାଚନରେ ଓଡ଼ିଶା ଜନତା ଏହାର ଜବାବ ଦେବେ । ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀ ଶାସନ ଭାର ଦେବେ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବ । ଓଡ଼ିଶାର ପ୍ରଗତି କରିବ ବିଜେପି ।
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି; ଆଜି କରିବେ ସମୀକ୍ଷା, କାଲି ଦିନ ତମାମ ପ୍ରଚାର - PM Modi At Bhubaneswar
ଭୂପିନ୍ଦର ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନ ଭଣ୍ଡାର ଚାବି ହଜିବା, ଓଡିଆ ଅସ୍ମିତାକୁ ଅପାମାନର ଜବାବ ନେବ ବିଜେପି । ମୋଦିଙ୍କ ସବୁ ଜନ କଲ୍ୟାଣକାରୀ ଯୋଜନା ଲାଗୁ ହେବ । ଦୁର୍ନୀତି ଗ୍ରସ୍ତ ବିଜେଡି ସରକାର ବିଦା ହେବ । ଚିଲିକା ଉପରେ ବ୍ରିଜ ନିର୍ମାଣ ନେଇ ବିଜେପି ସରକାର ଘୋଷଣା କରିଥିଲା । ହେଲେ ବିଜେଡି ସରକାରର ଅସହଯୋଗ ପାଇଁ ଏହା ହୋଇ ପାରିଲାନାହିଁ । ଆଗାମୀ ଦିନରେ ବିଜେପି ସରକାର ଗଠନ ପରେ ଚିଲିକା ଉପରେ ବ୍ରିଜ ହେବ । ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ'ରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ମୋଦିଙ୍କୁ ଆଶୀର୍ବାଦ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ପୁରୀବାସୀଙ୍କୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ପୁରୀ