ଭୁବନେଶ୍ବର:ଦେଶରେ ରେଳସେବା ଭିତ୍ତିଭୂମିରେ ବହୁମୁଖି ବିକାଶ ଓ ଅଗ୍ରଗତି ପାଇଁ ଦେଶବ୍ୟାପୀ ଆଜି ପ୍ରାୟ 6 ହଜାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ମୋଟ ୮୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ମଧ୍ୟ ଏକାଧିକ ଷ୍ଟେସନ ଓ ରେଳପଥର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ରହିଛି । ରାଜ୍ୟ ତଥା ପୂର୍ବତଟ ରେଳ ଡିଭିଜନର ପ୍ରମୁଖ ଜୋନ ଖୋର୍ଦ୍ଧାରୋଡ ରେଳ ଡିଭିଜନ ଅଧୀନରେ ବିଭିନ୍ନ ପ୍ରକଳ୍ପ ବାବଦକୁ ମୋଟ ୪ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ।
ଖୋର୍ଦ୍ଧା: ଓଡ଼ିଶାର ପ୍ରଥମ ଜନଔଷଧି କେନ୍ଦ୍ରକୁ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ସମ୍ମୁଖରେ ଉଦଘାଟନ କରିଛନ୍ତି ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦି । ସେହିପରି ଏହି ଡିଭିଜନ ଅଧୀନରେ ୫ଟି ବଡ଼ ବଡ଼ ପ୍ରକଳ୍ପ ରହିଛି । ଯେଉଁଥିରେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନର ପ୍ରକଳ୍ପ, ୧୧ଟି ଷ୍ଟେସନରେ ‘ୱାନ-ଷ୍ଟେସନ ୱାନ-ପ୍ରଡକ୍ଟ ଷ୍ଟଲ’, ୨୦ଟି ଷ୍ଟେସନରେ ସ୍ଵୟଂଚାଳିତ ସିଗ୍ନାଲ ଇଣ୍ଟର-ଲକିଂ ସିଷ୍ଟମ ରହିଛି । ସେହିପରି ତାଳଚେର-ପାରାଦ୍ବୀପ ରେଳ ଲାଇନରେ ଅଟୋ-ସିଗ୍ନାଲିଂ ବ୍ୟବସ୍ଥା କରାଯିବ । ଯେଉଁଥିରେ ଷ୍ଟେସନ ମାଷ୍ଟରଙ୍କର କୌଣସି ଭୂମିକା ରହିବ ନାହିଁ ବୋଲି ରେଳ ବିଭାଗ କହିଛି । ସାରା ଦେଶରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧା ରେଳ ଷ୍ଟେସନ ନିକଟରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ, ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ, ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା କବଚ ଭାୟାଡକ୍ଟ
କୋରାପୁଟ:ଆଜିର ଏହିକାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ କୋରାପୁଟ ଓ ରାୟଗଡା ମଧ୍ୟରେ ଚାଲିଥିବା ଟ୍ରାକ ଦୋହରିକରଣ କାର୍ଯ୍ୟ ମଧ୍ୟରେ କୋରପୁଟ ଠାରୁ ଦାମନଯୋଡି ନିକଟସ୍ଥ ବାଇଗୁଡା ପର୍ଯ୍ୟନ୍ତ ସମାପ୍ତ ହୋଇଥିବା ଦ୍ଵିତୀୟ ରେଳ ଲାଇନକୁ ଉଦଘାଟନ କରିଛନ୍ତି । ଏଥିସହିତ କୋରାପୁଟ ସମେତ ଜୟପୁରରେ ରେଳ ବିଭାଗର 'ୱାନ ଷ୍ଟେସନ ୱାନ ପ୍ରଡକ୍ଟ' ଯୋଜନାରେ ରେଳ ବିଭାଗ, ଓରମାସ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ କୋରାପୁଟର ସ୍ଥାନୀୟ ଉତ୍ପାଦକୁ ବିକ୍ରି କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଏହି କାଉଣ୍ଟରରେ କୋରାପୁଟ ଜିଲ୍ଲାର ବିଭିନ୍ନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରୁଥିବା ହଳଦୀ ଗୁଣ୍ଡ, ସୁଆଁ, ଗୁଡ଼, କଳାଜିରା, ଚାଉଳ, ମାଣ୍ଡିଆ ପ୍ରଭୃତି ଖାଦ୍ୟ ସାମଗ୍ରୀ ଏବଂ ଲେମନ୍ ଗ୍ରାସ ତୈଳ ଓ ହଳଦୀ ସାବୁନ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି କରାଯିବ ବୋଲି ଓରମାସର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।
ଢେଙ୍କାନାଳ: ଏହି ଅବସରରେ ଭର୍ଚ୍ଚୁଆଲ ମାଧ୍ୟମରେ ଭୋକାଲ ଫର ଲୋକାଲ ମିଶନରେ ଢେଙ୍କାନାଳ ଓ ଅନୁଗୋଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟର ଷ୍ଟଲ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଉପଲକ୍ଷେ ଢେଙ୍କାନାଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ସମେତ ରେଳ ଭିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରି ଅଞ୍ଚଳବାସୀଙ୍କୁ ସ୍ୱାବଲମ୍ବୀ କରିବାରେ ପ୍ରଧାନମନ୍ତ୍ରୀଙ୍କ ଏହା ସାଧୁ ଉଦ୍ୟମ ବୋଲି ଜିଲ୍ଲବାସୀ କହିଛନ୍ତି ।