ଆସନ୍ତା ୧୦ରେ ପୁଣି ଓଡିଶା ଆସିପାରନ୍ତି ମୋଦି: ମନମୋହନ ସାମଲ ନିଆଳି : ସାଧାରଣ ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେଉଛି । ଏବେଠୁ ଓଡ଼ିଶାକୁ ଫୋକସ ଦେଉଛନ୍ତି ଜାତୀୟ ଦଳ । ତେବେ ଏହାକୁ ନେଇ ଆସନ୍ତା 3 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସୁଥିବା ବେଳେ ଫେବୃଆରୀ ୧୦ରେ ପୁଣି ଓଡିଶା ଆସିପାରନ୍ତି ମୋଦି । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବାଲିପାଟଣା ବ୍ଲକ ଅଠାନ୍ତର ପଞ୍ଚାୟତ ୧୦୬ ନଂ ବୁଥ ଅନ୍ତର୍ଗତ ଦୁର୍ଗାମାଧବ କଲ୍ୟାଣ ମଣ୍ଡପଠାରେ ୧୦୯ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ରେ ରାମ ଲାଲାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, କୃଷିରେ ବିକାଶ, ମହିଳା ସଶକ୍ତିକରଣ, କ୍ରୀଡ଼ା, ଅର୍ଜୁନ ପୁରସ୍କାର, ଚିକିତ୍ସା କ୍ଷେତ୍ର ସହାୟତା ଓ ଆୟୁର୍ବେଦର ସଫଳତା, ହାତୀ ସୁରକ୍ଷା, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ କଥା କହିଥିଲେ। ଏଥିସହ ନୂତନ ଭୋଟରଙ୍କୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ ଦେଶ ନିର୍ମାଣରେ ନୂତନ ଭୋଟର ଭବିଷ୍ୟତ। ଭୋଟ ପରିଚୟ ପତ୍ରରେ ସାମିଲ ହେବାକୁ ପରମର୍ଶ ଦେଇଥିଲେ।
ଏହା ମଧ୍ୟ ପଢନ୍ତୁ-ସରଗରମ ସମ୍ବଲପୁର ରାଜନୀତି; କାଲି ମୁଖ୍ୟମନ୍ତ୍ରୀ, 3ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ତେବେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ନେଇ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି ମନମୋହନ ସାମଲ । ପ୍ରଥମେ ଫେବୃଆରୀ ୩ ତାରିଖ ସମ୍ବଲପୁରଠାରେ ମହିଳା ସମାବେଶରେ ଯୋଗ ଦେବେ । ପରବର୍ତ୍ତୀ ସମୟରେ ପୁଣି ଫେବୃଆରୀ ୧୦ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ବୋଲି କହିଛନ୍ତି ମନମୋହନ ସାମଲ । ଭୁବନେଶ୍ବରରେ ବିଶାଳ ମହିଳା ସମାବେଶରେ ଯୋଗ ଦେବାକୁ ଆସିବେ ମୋଦି । ରାଜଧାନୀରେ ଏକାଠି ହେବେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ସାରା ଦେଶରେ ଦୁଇଟି ବଡ଼ ବଡ଼ ମହିଳା ସମାବେଶ ଆୟୋଜନ ହେଉଥିବା ବେଳେ ଗୋଟିଏ ମଧ୍ୟ ପ୍ରଦେଶ ଏବଂ ଆଉ ଗୋଟିଏ ଓଡ଼ିଶାରେ ହେବ। ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ଏହା ଏକ ବଡ ପ୍ରସ୍ତୁତି । ଭୁବନେଶ୍ବରରେ ଫେବୃଆରୀ ୧୦ରେ ବିଜେପି ଆୟୋଜନ କରୁଛି ବିଶାଳ ସମାବେଶ । ସମାବେଶରେ ମହିଳାମାନଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି ।
ଇଟିଭି ଭାରତ, ନିଆଳି