ଫୁଲବାଣୀ:ନିର୍ବାଚନ ଯେତିକି ପାଖେଇ ଆସୁଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ତେବେ କନ୍ଧମାଳ ଜିଲ୍ଲାର ୩ ନିର୍ବାଚନ ମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । ଯେଉଁମାନଙ୍କୁ ଦଳ ପ୍ରାର୍ଥୀ କରିଛି, ତାହାକୁ ନେଇ ଏବେ ସବୁଠି ଅସନ୍ତୋଷର ସ୍ବର ଉଠିଥିବା ବେଳେ ଦେବେନ୍ଦ୍ର କହଁରଙ୍କ ସମର୍ଥକମାନେ ଗତକାଲି(ସୋମବାର) ବିଜେଡି ପ୍ରାର୍ଥୀ ଜୟଶ୍ରୀଙ୍କର ପ୍ରାର୍ଥିତ୍ୱକୁ ଜୋରଦାର ବିରୋଧ କରିଛନ୍ତି । ସେମାନେ ଖଜୁରିପଡା ବଜାରରେ ବିଜେଡି ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଫଟୋ ଚିରିବା ସହିତ କୁଶ ପୁତ୍ତଳିକା ଦାହ କରିଛନ୍ତି ।
ତେବେ ଫୁଲବାଣୀ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଅଣଦେଖା କରି ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଦେବେନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ଦେବେନ୍ଦ୍ର ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଟଙ୍କା କାରବାର କରି ଜୟଶ୍ରୀ କହଁରଙ୍କୁ ବିଜେଡି ଟିକେଟ ଦେଇଥିବା ନେଇ ଦେବେନ୍ଦ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଅଭିଯୋଗ କରିଛନ୍ତି । ସେହିପରି ପ୍ରତ୍ୟେକ ଥର ଫିରିଙ୍ଗିଆ ବ୍ଲକରୁ ବିଜେଡି ପ୍ରାର୍ଥୀ ଦେଉଥିବାରୁ ଏହାକୁ ନେଇ ଖଜୁରିପଡ଼ା ବିଜେଡି କର୍ମୀମାନେ ବିରୋଧ କରୁଛନ୍ତି ।
ଖଜୁରିପଡ଼ା ବ୍ଲକରୁ ବିଜେଡି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦୌଡ଼ରେ ଅନେକ ନେତା ଥିଲେ । କିନ୍ତୁ ଫିରିଙ୍ଗିଆର ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମର୍ଥକ ଜୟଶ୍ରୀ କହଁରଙ୍କୁ ଦଳ ପ୍ରାର୍ଥୀ କଲା । ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଅନ୍ୟ ସମର୍ଥକଙ୍କ ସହ ସରପଞ୍ଚ ସମିତି ସଭ୍ୟମାନେ ମିଶି ପଦ୍ମନାଭ ବେହେରା ଏବଂ ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କହଁର, ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବଦା କରିଛନ୍ତି ।