ବୌଦ୍ଧ: ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ବଣ ଜଙ୍ଗଲ ଅଞ୍ଚଳରେ ଜଙ୍ଗଲୀ ମଣିଷଙ୍କ ଭଳି ବଞ୍ଚୁଛନ୍ତି ୧୦ରୁ ଊର୍ଦ୍ଧ୍ବ ପରିବାର । ସେମାନଙ୍କ ନିକଟରେ ସତେ ଯେପରି ସବୁ ସରକାରୀ ଯୋଜନା ଅପହଞ୍ଚ । ଜମି ଭୂମି ହୀନ ଏହି ପ୍ରଜାଙ୍କ ନିକଟରେ ନା ଅଛି ପକ୍କାଘର, ନା ବିଦ୍ୟୁତ, ନା ପାନୀୟଜଳ ନା ଅନ୍ୟ କୌଣସି ମୌଳିକ ସୁବିଧା । ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଥିବା ପଲସାଦାଦରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ପ୍ରାୟ ୧୦ରୁ ଅଧିକ ପରିବାର ।
ଗରିବ ଅସହାୟଙ୍କ ପାଇଁ ସରକାରଙ୍କର ରହିଛି ମାଳ ମାଳ ଯୋଜନା । କିନ୍ତୁ ବଣ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜମି ଭୂମି ହୀନ ଦଶରୁ ଊର୍ଦ୍ଧ୍ବ ପରିବାର ନିକଟରେ କୌଣସି ସରକାରୀ ଯୋଜନା ପହଞ୍ଚି ପାରୁନଥିବା ଭଳି ମନେ ହେଉଛି । ସବୁ ଯୋଜନାରୁ ବଞ୍ଚିତ ଥାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଏହି ଲୋକମାନେ । ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଥିବା ଏହି ପଲସାଦାଦର ଠାରେ ବସବାସ କରନ୍ତି ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଜମି ଭୂମି ହୀନ ପରିବାର । ସରକାର ଏଭଳି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ବଳରେ ଜମିପଟ୍ଟା ପ୍ରଦାନ କରୁଥିବା ବେଳେ ଏଠାରେ ବସବାସ କରୁଥିବା ପରିବାରଙ୍କୁ ଜମି ପଟ୍ଟା କିମ୍ବା ଆବାସ ଯୋଜନାରେ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି । ଫଳରେ ଏସବୁ ପରିବାର ଜରିପାଲ ଟାଣି ଭଙ୍ଗା ଦଦରା ଘରେ ଏପରିକି ଗୁହାଳ ଭିତରେ ଗାଇଗୋରୁଙ୍କ ସହିତ ରହିବାକୁ ବାଧ୍ୟ ହେଉଛନ୍ତି ।