ଭୁବନେଶ୍ବର:ଅଙ୍ଗଦାନ କରି ଅମର ହୋଇଗଲା 8 ବର୍ଷର କୁନି ପୁଅ ସୁବୋଜିତ ସାହୁ । ପୁଅର ମୃତ୍ୟୁ ପରେ ଶରୀର ଦାନ କରିଛନ୍ତି ପରିବାର ଲୋକେ । 7ଟି ଅଙ୍ଗକୁ ଦାନ କରିଛନ୍ତି ଭୁବନେଶ୍ଵରର ଦମ୍ପତି । ସୂଚନା ଅନୁସାରେ, ଭୁବନେଶ୍ଵର କଳ୍ପନା ଅଞ୍ଚଳର ଦ୍ଵିତୀୟ ଶ୍ରେଣୀର ଛାତ୍ର ଥିଲେ ସୁବୋଜିତ । ସେ ମସ୍ତିଷ୍କ ରୋଗରେ ପୀଡିତ ହୋଇ ୩ ଦିନ ଧରି ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି (ଶନିବାର) ତାଙ୍କର ବ୍ରେନ୍ ଡେଡ ଘୋଷଣା ହେବା ପରେ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିବା ସହ ଅଙ୍ଗଦାନ ସମିତି ସହ ଯୋଗାଯୋଗ କରିଥିଲେ। ଆଜିଏକ ଘରୋଇ ହସ୍ପିଟାଲରେ ସେମାନେ ସୁବୋଜିତର ଶରୀର ଦାନ କରିଛନ୍ତି ।
ପୁଅ ପାଇଁ କେତେ କଣ ସ୍ୱପ୍ନ ଦେଖୁଥିଲେ । ହେଲେ ପୁଅ ଅବେଳାରେ ଦୁନିଆ ଛାଡ଼ି ଚାଲିଯିବ, ସେ କଥା ସ୍ୱପ୍ନରେ ବି ଭାବି ନଥିଲେ ପରିବାର ଲୋକେ । 8 ବର୍ଷର ସନ୍ତାନର ମୃତ୍ୟୁ ଶୋକରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ପୁଅ ସିନା ଚାଲିଗଲା, ହେଲେ ଅଙ୍ଗଦାନ କରି ଅନ୍ୟମାନଙ୍କୁ ଜୀବନ ଉପହାର ଦେଇଗଲା । ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିବ । ଏନେଇ ସୁବୋଜିତଙ୍କ ପିତା ବିଶ୍ଵଜିତ ସାହୁ କହିଛନ୍ତି , "ପୁଅକୁ ତିନି ଦିନ ପୂର୍ବେ ପ୍ରଥମେ ବାତ ମାରିଥିଲା । ପରବର୍ତ୍ତୀ ସମୟରେ ଶରୀର ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇପଡ଼ିଥିଲା । ଏହାପରେ ବ୍ରେନ୍ ଡେଡ୍ ହେବା ନେଇ ଡାକ୍ତର ଘୋଷଣା କରିଛନ୍ତି ।"