ଓଡିଶା

odisha

ETV Bharat / state

ହୃଦଘାତରେ ଆଖିବୁଜିଲେ ପଦ୍ମଶ୍ରୀ କମଳା ପୂଜାରୀ; ମୁଖ୍ୟମନ୍ତ୍ରୀଙ୍କ ଶୋକ, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ - Kamala Pujari Passes away - KAMALA PUJARI PASSES AWAY

Padma shri Kamala Pujari Passes away at 70: ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ କମଳା । ଦେଶୀ ଧାନ ଓ ଜୈବିକ କୃଷି ପ୍ରଣାଳୀ ପାଇଁ କମଳା ପୂଜାରୀଙ୍କ ଅବଦାନ ଅତୁଳନୀୟ । ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ କମଳା ପୂଜାରୀ ।

Padma shri Kamala Pujari Passes away
Padma shri Kamala Pujari Passes away (ETV Bharat Odisha)

By ETV Bharat Odisha Team

Published : Jul 20, 2024, 7:40 AM IST

Updated : Jul 20, 2024, 12:26 PM IST

Padma shri Kamala Pujari Passes away (ETV Bharat Odisha)

କଟକ:ଆଉ ନାହାନ୍ତି ମାନବସେବୀପଦ୍ମଶ୍ରୀ କମଳା ପୂଜାରୀ । କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । 70ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଗତ ୧୮ ତାରିଖରୁ ଅସୁସ୍ଥତା କାରଣରୁ କଟକ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ଆଜି (ଶନିବାର) ସକାଳେ ତାଙ୍କର ହୃଦଘାତ ଘଟିଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ କମଳା ପୂଜାରୀ । ଅନ୍ୟପଟେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କମଳା ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Padma shri Kamala Pujari Passes away (ETV Bharat Odisha)

ଏସସିବି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ 4 ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ତାଙ୍କ ଚିକିତ୍ସା ପାଇଁ ମେଡିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡିସିନ ବିଭାଗର 4ଜଣ ଡାକ୍ତରଙ୍କୁ ନେଇ ଏହି ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ହେଲେ ଆଜି ସକାଳେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

Padma shri Kamala Pujari Passes away (ETV Bharat Odisha)

ଜୈବିକ କୃଷି ପ୍ରଣାଳୀ ଦେଇଥିଲା ପରିଚୟ:କୋରାପୁଟ ଜିଲ୍ଲାର ଏକ ଛୋଟ ଅଖ୍ୟାତ ଗ୍ରାମ ପାତ୍ରପୁଟ ଗାଁରେ ଜୈବିକ ପଦ୍ଧତିରେ ପାରମ୍ପରିକ ଚାଷବାସ କରି ଚର୍ଚ୍ଚାକୁ ଆସିଥିଲେ ଆଦିବାସୀ ମହିଳା କମଳା ପୂଜାରୀ । ମାନବସେବାର ଅଦ୍ୱିତୀୟ ପ୍ରତିଭା ଥିଲେ ସେ । ଅପରାହ୍ନ ବୟସରେ ମଧ୍ୟ ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାମର ପ୍ରସାର ଦିଗରେ ଅହରହ କାର୍ଯ୍ୟରତ ଥିଲେ । ବିଭିନ୍ନ କିସମର ଦେଶୀ ଧାନ ବିହନ ସଂରକ୍ଷଣ ଦ୍ଵାରା ପାରମ୍ପରିକ ବିହନର ସୁରକ୍ଷା ଦିଗରେ ସେ କାର୍ଯ୍ୟ କରୁଥିଲେ । ପାଖାପାଖି ୩୦୦ ପ୍ରକାର ଦେଶୀ ଧାନ ସଂରକ୍ଷଣ କରିଥିଲେ କମଳା ପୂଜାରୀ ।

Padma shri Kamala Pujari (ETV Bharat Odisha)

ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଅନେକ ସମ୍ମାନରେ ହୋଇଥିଲେ ସମ୍ମାନୀତ: କୃଷି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସ୍ଥାନୀୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ମଞ୍ଚରେ ଅନେକ ଥର ପୁରସ୍କୃତ ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ । ରାଜ୍ୟର ପ୍ରଥମ ଆଦିବାସୀ ମହିଳା ଭାବେ ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । 2002 ମସିହାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପାରମ୍ପରିକ ଓ ଜୈବିକ ଚାଷ ସମ୍ପର୍କରେ ନିଜର ଅନୁଭୂତି ବାଣ୍ଟିବାର ସୁଯୋଗ ପାଇଥିଲେ କମଳା । ସେହି ବର୍ଷ ତାଙ୍କୁ ଓୟୁଏଟି (ଓଡିଶା ୟୁନିଭର୍ସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି) ଦ୍ବାରା ‘Equator of Initiative Award’ରେ ମଧ୍ୟ ସମ୍ମାନୀତ କରାଯାଇଥିଲା । 2004 ମସିହାରେ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ‘ଶ୍ରେଷ୍ଠ ମହିଳା ଚାଷୀ’ ଓ 2019 ମସିହାରେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ଆଭୂଷିତ କରାଯାଇଥିଲା ।

Padma shri Kamala Pujari (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. କାକଟପୁରର ୭ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ - Surendra Nath Naik Passes Away

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ ସମ୍ପନ୍ନ:

ଅସାଧାରଣ ତ୍ୟାଗୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀଙ୍କ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।


ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି:ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ । ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ସେ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ । ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ରାଜ୍ୟ ଓ ଦେଶ କେବେ ଭୁଲି ପାରିବ ନାହିଁ । ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କମଳା ପୂଜାରୀଙ୍କ ପୁଅ ଟଙ୍କଧର ପୂଜାରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଶାନ୍ତ୍ବନା ଦେଇଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗତ ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ତାଙ୍କର ଅସାଧାରଣ ଅବଦାନ ଚିର ସ୍ମରଣୀୟ ହୋଇ ରହିବ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ପରିବାର ଲୋକଙ୍କୁ ଜଣାଇଲେ ସମବେଦନା । ପୁରୀ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jul 20, 2024, 12:26 PM IST

ABOUT THE AUTHOR

...view details