ଭୁବନେଶ୍ବର: ଧାନ କିଣାକୁ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବରଗଡ ସୋହେଲାରୁ ଧାନ କିଣା ଆରମ୍ଭ କରିବେ ବିଜେପି ସରକାର । 3100 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (MSP)ରେ ଚାଷୀଙ୍କ ଠାରୁ ଧାନ କିଣିବେ ରାଜ୍ୟ ସରକାର । 'ଯେଉଁ ସୋହେଲାରେ ପୂର୍ବ ବିଜେଡି ସରକାର 100 ଟଙ୍କା ବୋନସ ଦେବେ କହି ଚାଷୀଙ୍କୁ ଦେଇନଥିଲେ । ସେହି ସୋହେଲାରୁ ହିଁ ଧାନ ଏମଏସପିରେ ଅଧିକ 800 ଟଙ୍କା ବୋନସ ଦେଇ ଧାନ କିଣିବେ ବିଜେପି ସରକାର ।' ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ।
ଯେବେଠୁ ମଣ୍ଡିକୁ ଧାନ ଆସିବ କିଣାଯିବ:
ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମନ୍ତ୍ରୀ କହିଛନ୍ତି, ''ଧାନ ଯେବେଠୁ ମଣ୍ଡିକୁ ଆସିବ କିଣାଯିବ । 3100 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ରବି ଏବଂ ଖରିପ ଧାନ ଉଭୟ କିଣାଯିବ । ଡିବିଟି(DBT) ମାଧ୍ୟମରେ ଚାଷୀଙ୍କ ଟଙ୍କା ପଠାଯିବ । ମଣ୍ଡିକୁ ଧାନ ପ୍ରତି ଜିଲ୍ଲାରେ ଅଲଗା ଅଲଗା ତାରିଖରେ ଆସେ । ଟୋକେନ ଯେଉଁ ଇସୁ କରାଯିବ, ଯେଉଁ ଦିନରେ ଧାନ ମଣ୍ଡିକୁ ଆସିବ ତାର 48 ଘଣ୍ଟା ମଧ୍ୟରେ ଧାନ କିଣାଯିବ । ''
- ଧାନ ଯେବେଠୁ ମଣ୍ଡିକୁ ଆସିବ କିଣାଯିବ
- କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(MSP)ରେ ଚାଷୀଙ୍କଠାରୁ ଧାନ କିଣିବେ ସରକାର
- ରବି ଏବଂ ଖରିପ ଉଭୟ ଧାନ କିଣାଯିବ
- ଡିବିଟି (DBT) ମାଧ୍ୟମରେ ଚାଷୀଙ୍କୁ ଟଙ୍କା ପଠାଯିବ
- ପ୍ରତି ଜିଲ୍ଲାରେ ଅଲଗା ଅଲଗା ତାରିଖରେ ମଣ୍ଡିକୁ ଧାନ ଆସେ
- ଏଥିପାଇଁ ଟୋକେନ ଦିଆଯିବ
- ଯେଉଁ ଦିନ ଧାନ ମଣ୍ଡକୁ ଆସିବ ତାର ୪୮ ଘଣ୍ଟା ମଧ୍ୟରେ କିଣାଯିବ
ଗତ ଦୁଇ ଦିନ ତଳେ ବିଜେପି ପ୍ରେସମିଟ୍ କରି କହିଥିଲା, ନଭେମ୍ବର ମାସରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଏମଏସପିଠାରୁ ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର । ବିଜେପି ନେତା ସମୀର ଦାଶ ପ୍ରେସମିଟ୍ କରି ଏନେଇ ସୂଚନା ଦେଇଥିଲେ । ବରଗଡ଼ ଜିଲ୍ଲା ସୋହେଲାରୁ ଧାନ କିଣା ଆରମ୍ଭ ହେବ। ପୂର୍ବ ସରକାର ଚାଷୀଙ୍କୁ 100 ଟଙ୍କା ଲେଖାଏଁ ବୋନସ୍ ଦେବାକୁ ଘୋଷଣା କରିଥିଲେ ଏହି ଜାଗାରୁ ।