ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଆରମ୍ଭ ହେଲା ଧାନକିଣା ପ୍ରକ୍ରିୟା । ଗତକାଲି (ମଙ୍ଗଳବାର) ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ନୟାଗଡ RMCଠାରେ ଧାନ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି ବାଚସ୍ପତି ସୁରମା ପାଢୀ । ଚଳିତ ବର୍ଷ ଜିଲ୍ଲାରେ ୫୩ ହଜାର ୮୪୯ ଜଣ ଚାଷୀ, ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି । ପର୍ଯ୍ୟାୟ କ୍ରମେ ସେମାନଙ୍କ ପାଖରେ ଟୋକନ ପହଞ୍ଚିବ। ସରକାରୀ ଧାର୍ଯ୍ୟ ଦରରେ ଚାଷୀ କିଭଳି ଧାନ ବିକ୍ରି କରି ପାରିବେ ସେନେଇ ସରକାର ପଦକ୍ଷପ ନେଉଛନ୍ତି । ଚଳିତ ବର୍ଷ ବର୍ଷା କରାଣରୁ ଧାନର ମାନରେ ରାଜ୍ୟ ସରକାର କୋହଳ କରିଥିବା କହିଛନ୍ତି ବାଚସ୍ପତି ।
ନୟାଗଡ଼ରେ ଧାନ କିଣା ଆରମ୍ଭ:
ନୟାଗଡ଼ ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଚଳିତ ବର୍ଷ ଜିଲ୍ଲାର ୮ଟି ବ୍ଲକର ସେବା ସମବାୟ ସମିତି ମାଧ୍ୟମରେ ୧୬୮ଟି ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଧାନ ବିକ୍ରି ପାଇଁ ୫୩ ହଜାର ୮ ଶହ ୪୯ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ନୟାଗଡ଼ାରେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୯୦ ହଜାର ୨୯୪ କ୍ବିଣ୍ଟାଲ ଧାନ ମଣ୍ଡିରେ ଚାଷୀଙ୍କ ଠାରୁ କିଣିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । FAQ ମାନର ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଚାଷୀଙ୍କଠାରୁ କିଣାଯିବ । ସେହିପରି ମଣ୍ଡି ନୋଡାଲ ଅଫିସରମାନଙ୍କୁ ଧାନ କିଣା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ରହିଛି । କୌଣସି ମତେ ଯେପରି କଟନୀ ଛଟନୀ ହେବ ନାହିଁ, ଦଲାଲମାନେ ଯେପଳି ମଣ୍ଡିରେ ପ୍ରବେଶ କରିବେ ନାହିଁ, ସେଥିପ୍ରତି କଡ଼ା ନଜର ରଖାଯାଇଛି । ଚାଷୀଙ୍କ ଅଭିଯୋଗ ପାଇଁ ସ୍ଵତନ୍ତ୍ର ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ସମସ୍ତ ମଣ୍ଡିରେ ଲଗାଯାଇଛି । ଚାଷୀଙ୍କୁ ସଚେତନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ସମସ୍ତ ସେବା ସମବାୟ ସମିତିକୁ ଧାନ ମଣ୍ଡି ସୁପରିଚାଳନା ପାଇଁ କଡ଼ା ନିର୍ଦ୍ଦେଶ ଦେବା ସହ ଅନିୟମିତା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନାୟଗଡ଼ ଜିଲ୍ଲାପାଳ କହିଛନ୍ତି ।
'ଧାନର ମାନରେ କୋହଳ କରିବେ ସରକାର':
ବାଚସ୍ପତି ସୁରମା ପାଢୀ କହିଛନ୍ତି, "ନୟାଗଡ଼ ଜିଲ୍ଲାରେ ଅଧିକାଂଶ ଅଞ୍ଚଳରେ ଧାନ ଚାଷ ହୋଇଛି । ୫୩ ହଜାର ୮ ଶହ ୪୯ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ପର୍ଯ୍ୟାୟକ୍ରମେ ଚାଷୀଙ୍କ ପାଖରେ ଟୋକନ ପହଞ୍ଚିବା ସହ ସେମାନେ ଧାନ ବିକ୍ରି କରିପାରିବେ । ଚଳିତ ବର୍ଷ ଅଦିନିଆ ବର୍ଷା ହେତୁ ଧାନର ମାନରେ କୋହଳ କରିବା ପାଇଁ ସରକାର କହିଛନ୍ତି । ଚାଷୀ ବ୍ୟପକ ବାବରେ କିଭଳି ତାର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିପାରିବ ଓ ସରକାରୀ ଧାର୍ଯ୍ୟ ଦର ୩୧୦୦ ଟଙ୍କାରେ ଧାନ ବିକ୍ରି କରିବ ସେଥିପାଇଁ ସବୁ ପଦକ୍ଷପ ନିଆଯିବ ।"