କଟକ: ଭିଜିଲାନ୍ସ ବିଭାଗରେ ଫାଙ୍କା ପଡିଛି ଅନେକ ପଦବୀ । ଯେଉଁ କାରଣରୁ ଉପଯୁକ୍ତ ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟାରେ ପ୍ରଭାବ ପଡୁଛି । ଏପରିକି ଚାର୍ଜସିଟ ଦାଖଲ ଏବଂ ଅଦାଲତରେ ଟ୍ରାଏଲ ସମୟରେ ମଧ୍ୟ ବିଳମ୍ବ ହେଉଛି । ଯାହାକୁ ଗୁରୁତର ସହ ନେଇଛନ୍ତି ଓଡିଶା ହାଇକୋର୍ଟ । ଖାଲି ପଡିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଡର ପାଇବାର ୩ ମାସ ମଧ୍ୟରେ ଏହି ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ବିଶୁଦ୍ଧ ପାନୀୟ ଜଳ ସମ୍ପର୍କିତ ଅଭିଯୋଗ ଆସିଲେ ବିଭାଗ ତୁରନ୍ତ ଏହାର ସମାଧାନ କରିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । ବିଶେଷକରି ପାନୀୟ ଜଳ ଯୋଗାଣରେ ଯଦି କେହି ବ୍ୟକ୍ତି ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ ନିଜର ଅଭିଯୋଗ ଦାଖଲ କରିପାରିବେ ।
HC Verdict (ETV Bharat Odisha) ଭିଜିଲାନ୍ସରେ କେତେଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି ?
ବର୍ତ୍ତମାନ ଭିଜିଲାନ୍ସ ବିଭାଗରେ ୫୯ ଜଣ ଡିଏସପି କାର୍ଯ୍ୟ କରୁଛନ୍ତି । ମଞ୍ଜୁରୀପ୍ରାପ୍ତ ଡିଏସପି ପଦ ୬୨ ହୋଇଥିବାବେଳେ ଏବେ ୩ଟି ପଦବୀ ଖାଲି ପଡ଼ିଛି। ଭିଜିଲାନ୍ସ ବିଭାଗରେ ୧୫୩ ମଞ୍ଜୁରୀପ୍ରାପ୍ତ ଇନ୍ସପେକ୍ଟର ପଦ ରହିଥିବାବେଳେ ଏବେ ୭୯ଜଣ ଇନିସ୍ପେକ୍ଟର କାର୍ଯ୍ୟରତ ଅଛନ୍ତି ଓ ୭୪ଟି ଇନ୍ସପେକ୍ଟର ପଦ ଖାଲି ପଡ଼ିଛି । ଏହି ଅଧିକାରୀମାନେ ଅନ୍ୟ ଦାୟିତ୍ବ ମଧ୍ୟରେ ଗୁଇନ୍ଦା ତଥ୍ୟ ସଂଗ୍ରହ, ଦୁର୍ନୀତିଗ୍ରସ୍ତ କାର୍ଯ୍ୟକଳାପ ଠାବ, ଗୁପ୍ତ ଯାଞ୍ଚ, ଖୋଲା ତଦନ୍ତ, ଫିଲଡ ଭିଜିଟ୍, ତନଖି ଓ ଟ୍ରାଏଲ ଚାଲୁଥିବା ମାମଲା ଗୁଡ଼ିକର ତଦାରଖ କରନ୍ତି । ଯଦି ଖାଲି ପଡ଼ିଥିବା ୭୭ଟି ତଦନ୍ତକାରୀ ଅଧିକାରୀ ପଦବୀ ପୂରଣ ହୁଏ ତେବେ ବାର୍ଷିକ ମାମଲା ପଞ୍ଜୀକରଣ ହାର ଠାରୁ ଅଧିକ ମାମଲାର ତଦନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଭିଜିଲାନ୍ସ ସକ୍ଷମ ହେବ । ଏଥିସହିତ ୨୦୨୪, ଅଗଷ୍ଟ ୨୭ ସୁଦ୍ଧା ୧୮ ପବ୍ଲିକ ପ୍ରସିକ୍ୟୁଟର, ୨ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଓ ଗୋଟିଏ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ପଦ ଖାଲି ପଡ଼ିଛି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଛି ।
'ତୁରନ୍ତ ପଦବୀ ପୂରଣ କର'
ତିନି ମାସ ଭିତରେ ଖାଲି ପଡ଼ିଥିବା ୧୮ଟି ପବ୍ଲିକ ପ୍ରସିକ୍ୟୁଟର, ଦୁଇଟି ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଓ ଗୋଟିଏ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ପଦ ପୂରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉପଯୁକ୍ତ ତଦନ୍ତ ଓ ପ୍ରସିକ୍ୟୁସନ୍ ପ୍ରକ୍ରିୟା ତ୍ବରାନ୍ବିତ ସୁନିଶ୍ଚିତ କରିବା ପାଇଁ ଏହି ସବୁ ପଦ ଯଥାଶୀଘ୍ର ପୂରଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଭିଜିଲାନ୍ସ ମାମଲା ଥିବା ସରକାରୀ କର୍ମଚାରୀଙ୍କ ପଦୋନ୍ନତି ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ଭିଜିଲାନ୍ସ ସତ୍ୟପାଠରେ କ'ଣ ଦର୍ଶାଇଥିଲା?
ଖାଲି ପଡ଼ିଥିବା ପଦ ଗୁଡ଼ିକରେ ନିଯୁକ୍ତି ଦ୍ବାରା ପ୍ରତି ଅଦାଲତରେ ଜଣେ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ନିୟୋଜିତ ପ୍ରସଙ୍ଗ ସୁନିଶ୍ଚିତ ହେବ। ପ୍ରସିକ୍ୟୁସନର ଗୁଣବତ୍ତା ବୃଦ୍ଧି ପାଇବ ଓ ମାମଲା ଫଏସଲା ହାର ବଢିବ। ଭିଜିଲାନ୍ସ ମାମଲା ଗୁଡ଼ିକର ତ୍ବରିତ ଟ୍ରାଏଲ ସମ୍ପୂର୍ଣ୍ଣ ଦିଗରେ ଦୀର୍ଘସୂତ୍ରୀ ସମାଧାନ ପାଇଁ ଅଧିକ ଅଦାଲତ ପ୍ରତିଷ୍ଠା ବା ଭିଜିଲାନ୍ସ ମାମଲା ବର୍ତ୍ତମାନ ଶୁଣାଣି କରୁଥିବା ଅଦାଲତକୁ ସ୍ବତନ୍ତ୍ର ମାନ୍ୟତା ଦେବା ପ୍ରସଙ୍ଗ ବିଚାରକୁ ନିଆଯାଇପାରିବ। ଭିଜିଲାନ୍ସ ମାମଲା ଗୁଡ଼ିକର ତ୍ବରିତ ଟ୍ରାଏଲ ପାଇଁ ଅନ୍ୟ ମାମଲା ସହିତ ଭିଜିଲାନ୍ସ ମାମଲାର ଶୁଣାଣି କରୁଥିବା ଅଦାଲତ ଗୁଡ଼ିକୁ ସ୍ବତନ୍ତ୍ର ଭାବେ ଭିଜିଲାନ୍ସ ଅଦାଲତ ମାନ୍ୟତା ପ୍ରଦାନ କରାଯାଇପାରିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।
ଏହା ବି ପଢନ୍ତୁ...ହାଇକୋର୍ଟଙ୍କ ଛାଟରେ ସମାଧନ ହେଉଛି ସହରର ସମସ୍ୟା, ଏଣିକି ଠକିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ - Orissa High Court
ଏହା ବି ପଢନ୍ତୁ...ଏଣିକି ଲାଞ୍ଚୁଆ ଅଧିକାରୀଙ୍କୁ ମିଳିବନି ତ୍ରାହି, ଭିଜିଲାନ୍ସ ପରେ ଏବେ ଘାଣ୍ଟିବ ଇଡି ! - SIT on Corrupt officers
ପାନୀୟ ଜଳ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ:
ନାଗରିକମାନଙ୍କୁ ସ୍ବଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ହାଇକୋର୍ଟ ଗୁରୁ୍ତ୍ବ ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ପାଇବା ସମସ୍ତ ନାଗରିକଙ୍କ ଅଧିକାର ବୋଲି ହାଇକୋର୍ଟ କହିଛନ୍ତି। ଏ ସମ୍ପର୍କିତ ଅଭିଯୋଗ ପଞ୍ଜୀକରଣ ପାଇଁ ୱାଟକୋକୁ ଟୋଲ ଫ୍ରି ନମ୍ବର ସଂକ୍ରାନ୍ତରେ ସୂଚନା ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସହର ୫୫ଟି ଜୋନରେ ୱାଟକୋ କର୍ତ୍ତୃପକ୍ଷ , ସମ୍ପୃକ୍ତ ଅଞ୍ଚଳର କର୍ପୋରେଟରଙ୍କ ସହିତ ପରାମର୍ଶ କରି ଉପଯୁକ୍ତ ସ୍ଥାନରେ ସୂଚନା ଫଳକ ଲଗାଇବେ। ପ୍ରତି ଜୋନରେ ଲଗାଯିବାକୁ ଥିବା ସୂଚନା ଫଳକରେ ୱାଟକୋର ଟୋଲ ଫ୍ରି ନମ୍ବର ଉଲ୍ଲେଖ କରାଯିବ। ପାଣି ଲିକେଜ ପଏଣ୍ଟ ଓ ଦୂଷିତ ହେଉଥିବା ସ୍ଥାନ ସଂକ୍ରାନ୍ତରେ ଯଦି ନାଗରିକ ଜାଣିବାକୁ ପାଆନ୍ତି ତେବେ ଏନେଇ କର୍ତ୍ତୃପକ୍ଷଙ୍କୁ ଟୋଲ ଫ୍ରି ନମ୍ବର ମାଧ୍ୟମରେ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଟୋଲ ଫ୍ରି ନମ୍ବରରେ ଆସୁଥିବା ଅଭିଯୋଗର ତୁରନ୍ତ ସମାଧାନ:
ଟୋଲ ଫ୍ରି ନମ୍ବରକୁ ଆସୁଥିବା ଅଭିଯୋଗ ଗ୍ରହଣ ପାଇଁ ଜଣେ ଦାୟିତ୍ବବାନ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ୱାଟକୋ ମହାପ୍ରବନ୍ଧକ ହାଇକୋର୍ଟଙ୍କୁ ଦର୍ଶାଇଥିଲେ। ଅଭିଯୋଗ ଗୁଡ଼ିକ ସଂକ୍ରାନ୍ତରେ ରେକର୍ଡ ରଖିବା ପାଇଁ ଏକ ରେଜିଷ୍ଟର କରାଯିବ। ଅଭିଯୋଗକାରୀଙ୍କ ନାଁ, ଫୋନ ନମ୍ବର, ଯେଉଁ ଜୋନରୁ ଅଭିଯୋଗ ଆସିଥିବ ତାର ତଥ୍ୟ, ତାରିଖ, ସମୟ, କେଉଁ ଧରଣର ଅଭିଯୋଗ ଓ କେଉଁ ତାରିଖରେ ସମସ୍ୟା ସମାଧାନ କରାଗଲା ସେନେଇ ରେଜିଷ୍ଟରରେ ବିବରଣୀ ଉଲ୍ଲେଖ କରିବାକୁ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଅଭିଯୋଗ ପଞ୍ଜୀକରଣ ପରେ ତୁରନ୍ତ ସମାଧାନ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ସମାଧାନ ପରେ ଅଭିଯୋଗକାରୀଙ୍କୁ ଏନେଇ ମଧ୍ୟ ଅବଗତ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମୈତ୍ରୀ ସଂସଦ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
କାହିଁକି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଲେ?
ଅଗଷ୍ଟ ୨୮ର ନିର୍ଦ୍ଦେଶ ପାଳନ କରି ୱାଟକୋ ତରଫରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ସେପ୍ଟେମ୍ବର ୨ରେ ୱାଟକୋ ମହାପ୍ରବନ୍ଧକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସିଏମସି ଡେପୁଟୀ କମିଶନର (ସାନିଟେସନ)ଙ୍କୁ ନେଇ ଅନୁଷ୍ଠିତ ବୈଠକର ବିବରଣୀ ସତ୍ୟପାଠ ସହିତ ଦାଖଲ କରାଯାଇଥିଲା। ଯଦି କେହି ପାଣି ଲିକେଜ ପଏଣ୍ଟ ଦୂଷିତ ହେଉଥିବା ସ୍ଥାନ ସଂକ୍ରାନ୍ତରେ ଅଭିଯୋଗ କରିବାକୁ ଚାହେଁ ତେବେ ଏଥିପାଇଁ ଟୋଲ ଫ୍ରି ନମ୍ବର ଅଛି କି ନାହିଁ ସେନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ଏଭଳି ବ୍ୟବସ୍ଥା ନଥିବା ୱାଟକୋ ଉତ୍ତରରୁ ସ୍ପଷ୍ଟ ହୋଇଥିଲା।
କାର୍ଯ୍ୟର ଅଗ୍ରଗତି ଜଣାଇବାକୁ ନିର୍ଦ୍ଦେଶ:
ଏହି ମାମଲାର ଶୁଣାଣି ସମୟରେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଦର୍ଶାଇଥିଲେ ଯେ, ପାର୍ବଣ ସମୟରେ ସର୍ବସାଧାରଣ ସ୍ଥାନରେ ସ୍ବଚ୍ଛ ପାନୀୟ ଜଳ ଟ୍ୟାଙ୍କର ବ୍ୟବସ୍ଥା କରାଯିବ। ପାଇପ ଲାଇନ ମାଧ୍ୟମରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ୱାଟକୋ ତରଫରୁ ଦର୍ଶାଯାଇଥିଲା। ଆଇରନ ଅକ୍ସାଇଡ ଯେପରି ଜମା ନହୁଏ ସେଥିପାଇଁ ପାଣିର ପରୀକ୍ଷା କରାଯିବ ଓ ଉପଯୁକ୍ତ ପଦକ୍ଷେପ ନିଆଯିବ। ଏହି ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବାବେଳେ ଅକ୍ଟୋବର ୨୩ କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ଆବେଦନକାରୀ ଏହି ସତ୍ୟପାଠ ଉପରେ ପ୍ରତି ଜବାବ ଦାଖଲ କରିବେ।
ଇଟିଭି ଭାରତ, କଟକ