ଭୁବନେଶ୍ୱର:ରାଜଧାନୀରେ ବର୍ଷାଦିନେ ଡ୍ରେନେଜ ଏକ ମୁଖ୍ୟ ସମସ୍ୟା ଭାବରୋ ଉଭା ହୋଇଥାଏ । ଆଉ ଏବେ ବର୍ଷାଦିନ ଆସୁଥିବା ବେଳେ ତତ୍ପରତା ଦେଖାଇଛି ରାଜ୍ୟ ଗୃହ ଓ ନଗର ଉନ୍ନୟନ ଓ ବିଏମସି । ଏନେଇ ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଡ୍ରେନ ଉପରେ ସ୍ଲାବ ପଡ଼ିବା କାର୍ଯ୍ୟ ଚାଲିଥିବା ବେଳେ ନାଳ ଓ ମହାନାଳକୁ ବ୍ୟାରିକେଡ଼ କରାଯାଉଛି । ଆସନ୍ତା ମାସକ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଓ ବିଏମସି କମିଶନର ।
ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ମୁକୁଳା ଡ୍ରେନ ଉପରେ ବ୍ୟାରିକେଡ ହୋଇଯାଇଛି । ଏବେ ଆସ୍ଥାୟୀ ବ୍ୟବସ୍ଥା ହୋଇଛି । ଆଗାମୀ ଦିନରେ ନିୟମିତ ବ୍ୟାରିକେଡ଼ ମଧ୍ୟ ହେବ । ଯେଉଁଠାରେ ସମ୍ଭବ ସେଠାରେ ନିୟମିତ ବ୍ୟାରିକେଡ଼ କରାଯିବ । ଯେଉଁଠି ଡ୍ରେନ ଉପରେ ସ୍ଲାବ ପଡିବା କଥା, ସେ ନେଇ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ନେଇ ସରକାର ସଚେତନ ଅଛନ୍ତି । ପଦକ୍ଷେପ ମଧ୍ୟ ନେଇଛନ୍ତି । ବର୍ଷା ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମୁଁ ଏହାର ସମୀକ୍ଷା କରିବି ।"
ସେପଟେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି, "ବର୍ଷା ଆରମ୍ଭ ହୋଇଛି । ସହରରେ ଥିବା ତିନି ପ୍ରକାର ଡ୍ରେନର ସଫା କାର୍ଯ୍ୟ ଜାରୀ ରହିଛି । କିଛିର ସ୍ଲାବ ବାହାର କରି ସଫା କରୁଛୁ । ଆଉ କିଛି ସ୍ଥାନରେ ଡ୍ରେନ ମୁକୁଳା ରହିଛି । ସମ୍ପୂର୍ଣ୍ଣ ବନ୍ଦ କରି ଚ୍ୟାମ୍ବର ବସାଇ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ଲାଗି ପଦକ୍ଷେପ ନିଆଯାଉଛି । କାମ ଆରମ୍ଭ କରି ମାସକ ଭିତରେ କାମ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ମୁକୁଳା ଡ୍ରେନ ଉପରେ ସ୍ଲାବ ମାସକ ଓ ସପ୍ତାହକ ଭିତରେ ଡ୍ରେନ ବାରିକେଡ କାମ ସରିବ ।"