ହାଇଦ୍ରାବାଦ:12 ଜୁନ ବୁଧବାର । ଗତ ମାସ 12 ତାରିଖରେ ଶପଥ ନେଇଥିଲେ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜକୁ ମାସେ ତଳୁ ଆରମ୍ଭ ହୋଇଥିଲା ମୋହନ ସରକାର । 24 ବର୍ଷ ପରେ କଡ ଲେଉଟାଇଲା ଓଡିଶା ରାଜନୀତି । ଅଢେଇ ଦଶନ୍ଧି ପରେ ରାଜ୍ୟରେ ଗଠନ ହେଲା ବିଜେପି ସରକାର । ଓଡିଆ ଅସ୍ମିତା, ଓଡିଆ ମୁଖ୍ୟମନ୍ତ୍ରୀ ସାଙ୍ଗକୁ ମାଳ ମାଳ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ରାଜ୍ୟ ଶାସନରେ ଏଣ୍ଟ୍ରି ମାରିଥିଲା ବିଜେପି । ତେବେ ଆସନ୍ତୁ ଦେଖିବା ପ୍ରଥମ ମାସରେ କେତେ ଉପଲବ୍ଧି ହାସଲ କରିଛି ମୋହନ ସରକାର ଆଉ କେତେ ଆଶା ଆକାଂକ୍ଷାକୁ ପୂରଣ କରିଛନ୍ତି ନୂଆ ସରକାର । ଆଇନ ମନ୍ତ୍ରୀ କହିଛନ୍ତି, "ଗୋଟିଏ ମାସ ଭିତରେ ସରକାର ବଡ଼ ବଡ଼ ପଦକ୍ଷପ ନେଇଛନ୍ତି । ଦୃଢ ରାଜନୈତିକ ଇଛା ଶକ୍ତି ରଖି ସରକାର ଆଗକୁ ବଢୁଛନ୍ତି। ସକଳ୍ପ ପତ୍ରକୁ ଆଧାର କରି 100 ଦିନ ଭିତରେ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛୁ । ବିକାଶର ଧାରା ଆଗକୁ ନେବା ଆମର ଲକ୍ଷ୍ୟ।"
ସେପଟେ ନୂଆ ସରକାରକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେଡି ଓକଂଗ୍ରେସ । ବିଜେଡି ନେତା ନୃସିଂହ ସାହୁ କହିଛନ୍ତି, "ଚିଟଫଣ୍ଡ ବାବଦରେ ସରକାର ଚୁପ୍ । ରଥଯାତ୍ରା ସମୟରେ ଯେଉଁ ଅଘଟଣ ଘଟିଲା ତାହା ଅନ୍ୟ କେଉଁ ସରକାର ସମୟରେ ହୋଇନି । ମାଗଣା ବିଜୁଳି ପ୍ରସଙ୍ଗରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟ ପୂରଣ ହୋଇନି।" କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରଥଯାତ୍ରାରେ ଅବ୍ୟବସ୍ଥା ସମସ୍ତଙ୍କୁ ଆଘାତ ଦେଇଛି । ଚିଟଫଣ୍ଡ ଜମାକାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପଇସା ଫେରସ୍ତ କରିବା ପ୍ରତିଶ୍ରୁତି ଦେଇଥିଲେ । ହେଲେ ସରକାର ଗଠନ ମାସକ ପରେ ମଧ୍ୟ ପ୍ରତିଶ୍ରୁତି ପୂରଣ ହୋଇନି । ଆସନ୍ତା ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଲଢ଼େଇ ହେବ ।" ରାଜନୈତିକ ସମୀକ୍ଷକଙ୍କ ମତରେ, "ଦେଢ଼ ମାସ ଗୋଟିଏ ବଡ଼ ସମୟ ନୁହେଁ । ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆରମ୍ଭ ହୋଇଛି । 24 ବର୍ଷର ଶାସନକୁ ହଟାଇ ନୂଆ ସରକାର ଆସିଛି। ମନ୍ତ୍ରୀମାନେ ଅଭିଜ୍ଞ ନୁହେଁ। ବିଜେପିର ସଂକଳ୍ପ ପତ୍ର କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।"
ଠିକ୍ ଆଜକୁ ପୁରୁଛି ମୋହନ ସରକାରର ପ୍ରଥମ ମାସ । ପ୍ରଥମ ମାସ ରିପୋର୍ଟ କାର୍ଡରେ ମୋହନ ସରକାର କେତେକାଂଶରେ ବିବାଦୀୟ ହୋଇଥିବା ବେଳେ ଅନେକାଂଶରେ ସଫଳତା ଲାଭ କରିଛି । ପ୍ରଥମ କ୍ୟାବିନେଟରେ 4ଟି ବଡ ନିଷ୍ପତ୍ତି ନେଇ ଓଡିଆ ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରିଥିବା ମୋହନ ସରକାର କିନ୍ତୁ ପ୍ରଥମ ମାସରେ ବିବାଦର ସାମ୍ନା କରିଛି । ରଥଯାତ୍ରାରେ ବିଭ୍ରାଟ ଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ ଯୋଜନା ପ୍ରସଙ୍ଗ, ବିଏସକେଓ୍ବା ସ୍ବାସ୍ଥ୍ୟ କାର୍ଡରେ ଦ୍ବନ୍ଦ୍ବ ଇତ୍ୟାଦି । ତେବେ ଦେଖନ୍ତୁ ପ୍ରଥମ ମାସର ରିପୋର୍ଟ କାର୍ଡ-
ଖୋଲିଲା ଚାରି ଦୁଆର, ହଟିଲା ବ୍ୟାରିକେଡ- ନିର୍ବାଚନୀ ମୁଦ୍ଦା କରିଥିବା ପ୍ରସଙ୍ଗକୁ ସରକାରକୁ ଆସୁ ଆସୁ ପ୍ରାଧାନ୍ୟ ଦେଇଥିଲା ବିଜେପି ସରକାର । ଯାହ କହିଥିଲେ ସେୟା କଲେ । କୋଭିଡ ପରଠୁ ବନ୍ଦ ଥିବା ଶ୍ରୀମନ୍ଦିର 4 ଦୁଆର ଖୋଲିବା ସହିତ ବଡଦାଣ୍ଡରୁ ବ୍ୟାରିକେଡ ହଟାଇଥିଲେ । ପ୍ରଥମ କ୍ୟାବିନେଟ ମିଟିଂରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ପାରିତ ହେବା ପରେ ନିଜେ ମୁଖ୍ୟମନ୍ତ୍ରୀ ଏବଂ ପୁରା ମନ୍ତ୍ରୀମଣ୍ଡଳ ସାମିଲ ରହି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଚାରି ଦୁଆର ଖୋଲିଥିଲେ ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ବନ୍ଦ୍ବ- ନୂଆ ସରକାର ଆସିବା ପରେ ନବୀନ ସରକାର ଆରମ୍ଭ କରିଥିବା ସ୍ବାସ୍ଥ୍ୟ କାର୍ଡକୁ ନେଇ ବଡ ଦ୍ବନ୍ଦ୍ବ ସାମ୍ନାକୁ ଆସିଥିଲା । ସୋସିଆଲ ମିଡିଆ ଅପପ୍ରଚାର ପାଇଁ ରୋଗୀ ସମସ୍ୟା ଭୋଗିଥିଲେ । ପରେ ସରକାର ଏଥିରେ ହସ୍ତକ୍ଷେପ କରି ଲୋକଙ୍କୁ ଆଶ୍ବାସନା ଦେବା ସହିତ ବିଏସକେଓ୍ବାଇ କାର୍ଡ ଚାଲୁ ରହିବ ବୋଲି କହିଥିଲେ । ଏପରିକି ମୁଖ୍ୟ ଶାସନ ସଚିବ ମଧ୍ୟ ବିଭାଗୀୟ ସଚିବଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ କେନ୍ଦ୍ରର ଆୟୁଷ୍ମାନ କାର୍ଡ ଯୋଜନା ଥିବା ବେଳେ ଆଗାମୀ ଦିନରେ ରାଜ୍ୟ ବିଜେପି ସରକାର କଣ କରିବ ତାକୁ ଅପେକ୍ଷା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବନ୍ଦ ହୋଇଯିବ ନା ଚାଲୁ ରହିବ ତାହା ଆଗାମୀ ଦିନରେ ଜଣାପଡିବ ।
ଚାଷୀଙ୍କ ଧାନ ଏମଏସପି ବୃଦ୍ଧି-ଚାଷୀଙ୍କୁ ଧାନ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ 3100 ଟଙ୍କାକୁ କ୍ବାଣ୍ଟାଲ ପିଛା ବୃଦ୍ଧି କରିବାକୁ ନିର୍ବାଚନୀ ଘୋଷଣାରେ କହିଥିଲା ବିଜେପି । ଆଉ ସରକାରକୁ ଆସୁ ଆସୁ ଏହାକୁ ଲାଗୁ କରିବାକୁ ମଧ୍ୟ ପ୍ରଥମ କ୍ୟାବିନେଟ ମିଟିଂରେ ପାରିତ ହୋଇଥିଲା । କେନ୍ଦ୍ର ନିକଟରେ ଧାନର ସର୍ବନିମ୍ନ ମୂଲ୍ୟ ବା ଏମଏସପିକୁ 2300 ଟଙ୍କାକୁ ବୃଦ୍ଧି କରଥିବା ବେଳେ ରାଜ୍ୟ ବିଜେପି ଏହାକୁ 3100 ଟଙ୍କାକୁ ବୃଦ୍ଧି କରିବ ବୋଲି ପ୍ରତିଶୃତି ଦେଇଛି ।
ସୁଭଦ୍ରା ଯୋଜନା- କେନ୍ଦ୍ରର ସୁଭଦ୍ରା ଯୋଜନା ଅନୁସାରେ ବିଜେପି ରାଜ୍ୟରେ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବ ବୋଲି ପ୍ରତିଶୃତି ଦେଇଥିଲା । ଏହି ଯାଜନା ଆଗାମୀ 100 ଦିନରେ ଲାଗୁ ହେବ ବୋଲି ମଧ୍ୟ ବିଜେପି ସରକାର କହିସାରିଛି । ହେଲେ ଏହି ଯୋଜନା ନେଇ ଏପର୍ଯ୍ୟନ୍ତ କୌଣସି ଖସଡା ଆସିନାହିଁ । ରାଜ୍ୟର ଯୋଗ୍ୟ ବିବାହିତ ମହିଳା ହିତାଧିକାରୀ (23-59 ବର୍ଷୀୟ)ଙ୍କୁ ଏଥିରେ ସାମିଲ କରାଯିବ ବୋଲି କହିଛି ବିଜେପି । ଏହି ଯୋଜନା ଅଧିନରେ ମହିଳାଙ୍କୁ 50 ହଜାର ଟଙ୍କାର ଭାଉଚର ମିଳିବ ।