ମାଲକାନଗିରି:ଡେପଥେରିଆ ଆକ୍ରାନ୍ତରେ ଗତ ୧୦ଦିନ ମଧ୍ୟରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛି । ରାୟଗଡ଼ା,କୋରାପୁଟ, କଳାହାଣ୍ଡି ପରେ ମାଲକାନଗିରି ଜିଲ୍ଲାକୁ ମାଡ଼ିଲା ମାରାତ୍ମକ ଡିପ୍ଥେରିଆ ଜୀବାଣୁ । କେମିତି ମାଲକାନଗିରି ଜିଲ୍ଲାକୁ ଆସିଲା ସ୍ପଷ୍ଟ ହୋଇପାରି ନଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି ।
ତଙ୍ଗଗୁଡ଼ା ସେବାଶ୍ରମରେ ଡିପ୍ଥେରିଆ ଆତଙ୍କ:
ଚିତ୍ରାଙ୍ଗ ପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତଙ୍ଗଗୁଡ଼ା ଆବାସିକ ବିଦ୍ୟାଳୟର ଶିବ ମାଡ଼କାମୀ ନାମକ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗତ ୧୩ ତାରିଖରେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସତ୍ତ୍ବେ ସ୍ଵାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନହେବାରୁ ତାଙ୍କୁ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ରକ୍ତ ନମୁନା ପରୀକ୍ଷା କରିବାରୁ ଡିପ୍ଥେରିଆ ସଂକ୍ରମିତ ବୋଲି ଜଣାପଡ଼ିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସେହି ବିଦ୍ୟାଳୟର ଆଉ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ପଡ଼ିଆମି ମଧ୍ୟ ଅସୁସ୍ଥ ହୋଇଥିଲେ । ତାଙ୍କୁ ମାଲକାନଗିରିରେ ଚିକିତ୍ସା କରାଯିବା ପରେ ଡାଟ୍ ଇଞ୍ଜେକ୍ସନ ନଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।