କଟକ:କୁଆଖାଇ ନଦୀ ପୋଲ ଉପରେ ବଡ଼ ଧରଣର ଦୁର୍ଘଟଣା । ଟିଭି ସିରିଏଲ କଳାକାର ଟିମର କାରକୁ ଧକ୍କା ଦେଲା ସିମେଣ୍ଟ ବୋଝେଇ ଟ୍ରକ । ଧକ୍କା ଦେବା ପରେ ନଦୀକୁ ଖସିଲା ଟ୍ରକ । କାଜିପାଟଣା ନିକଟରେ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଛି । ଏଥିସହ ୫ଜଣ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଦୁର୍ଘଟଣାଟି ଗତକାଲି ବିଳମ୍ୱିତ ରାତିରେ କାଜିପାଟଣା ନିକଟ କୁଆଖାଇ ବ୍ରିଜ୍ ଉପରେ ଘଟିଛି । ଦୁର୍ଘଟଣାଗ୍ରସ୍ତ କାରରେ ଥିଲେ ଏକ ଟିଭି ସିରିଏଲ କଳାକାର ଟିମ । ସୁଟିଂ ସାରି ଏକ କାରରେ କଟକ ବାଲିକୁଦାରୁ ବାରଙ୍ଗ ରାସ୍ତା ଦେଇ ଫେରୁଥିବା ବେଳେ କାଜିପାଟଣା ନିକଟରେ କୁଆଖାଇ ବ୍ରିଜ ଉପରେ କାରକୁ ପିଟିଥିଲା ସିମେଣ୍ଟ ବୋଝେଇ ଟ୍ରକ । କାରକୁ ଧକ୍କା ଦେବା ପରେ ଟ୍ରକଟି ବ୍ରିଜରୁ ତଳକୁ ଖସି ପଡ଼ିଥିଲା । ତେବେ ଏଥିରେ ଜଣେ କଳାକାରଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ କଳାକାର ଟିମ ସଦସ୍ୟ ହୋଇଥିବା ବେଳେ ଅନ୍ୟ ତିନି ମହିଳା କଳାକାର ଆହତ ହୋଇଛନ୍ତି । ଏହି ସମସ୍ତ କଳକାର ଏକ ଓଡ଼ିଆ ସିରିଏଲରେ କାମ କରୁଥିବା ଜଣାପଡିଛି । ମୃତ କଳାକାରଙ୍କ ପରିଚୟ ଜଣାପଡିନାହିଁ ।