ଓଡିଶା

odisha

ETV Bharat / state

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ମୟୂରଭଞ୍ଜ; ଭକ୍ତିରେ ଭିଜିଲେ ଜିଲ୍ଲାବାସୀ - ରାମମୟ ମୟୂରଭଞ୍ଜ

Ram Mandir Pran Pratishtha: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଉତ୍ସବମୁଖର ରହିଛି । ଅଧିକ ପଢ଼ନ୍ତୁ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

By ETV Bharat Odisha Team

Published : Jan 23, 2024, 10:09 AM IST

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ରାଇରଙ୍ଗପୁର: 500 ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ବର୍ଷ ଧରି ଭାରତବାସୀଙ୍କ ଯେଉଁ ସ୍ବପ୍ନ ରହିଥିଲା ଆଜି ତାହା ସାକାର ହୋଇଛି । ରାମ ଜନ୍ମଭୂମି ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି । ଏହି ଅବସରରେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଉତ୍ସବମୁଖର ହୋଇଉଠିଛି । ଜୟ ଶ୍ରୀରାମ ନାରାରେ ଖଣ୍ଡମଣ୍ଡଳ କମ୍ପୁଥିବା ବେଳେ ସାରା ଜିଲ୍ଲାରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି ।

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ସମେତ ରାଇରଙ୍ଗପୁର ଉପଖଣ୍ଡ, କରଞ୍ଜିଆ ଉପଖଣ୍ଡ ଓ ଉଦଳା ଉପଖଣ୍ଡରେ ସୋମବାର ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସମସ୍ତ ମନ୍ଦିରଗୁଡିକରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ଉତ୍ସବ ପାଳନ କରିଛନ୍ତି । ସହରର ମୁଖ୍ୟ ରାସ୍ତା ଓ ଛକଗୁଡିକରେ ସୁନ୍ଦର ସୁନ୍ଦର ପତାକା ଲଗାଯାଇ ସୁସଜ୍ଜିତ କରାଯାଇଛି । ଜିଲ୍ଲାର ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିର, ଶ୍ରୀ ସତ୍ୟନାରାୟଣ ମନ୍ଦିର, ଅଁଳାଡୁବା ସ୍ଥିତ ଶ୍ରୀ ରଘୁନାଥ ଜିଉ ମନ୍ଦିର ଓ ବଜାରରେ ଥିବା ସମସ୍ତ ରାମ ଓ ହନୁମାନ ମନ୍ଦିରରେ ହୋମଯଜ୍ଞ କରାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମଲାଲାଙ୍କୁ କ୍ଷମା ମାଗିଲେ ମୋଦି, ଜାଣନ୍ତୁ କାରଣ

ସହରର ବିଭିନ୍ନ ସଂଗଠନ ପକ୍ଷରୁ ଶହ ଶହ ଲୋକଙ୍କୁ ଦ୍ବିପ୍ରହରରେ ଅନ୍ନଭୋଗ ବିତରଣ କରାଯାଇଥିଲା । କିଏ ଅନ୍ନଭୋଗ ବଣ୍ଟନ କରୁଥିଲେ ତ କିଏ ପ୍ରସାଦ ଆକାରରେ ଲଡୁ ବଣ୍ଟନ କରିଥିଲେ । ପୁଣି ସନ୍ଧ୍ୟା ସମୟରେ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଆଳତୀ ଦର୍ଶନର ସୌଭାଗ୍ୟ ପାଇଥିଲେ ଭକ୍ତ । ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀରାମଙ୍କ ସ୍ତୁତି ଗାନ କରୁଥିବାର ଦେଖିବାକୁ ମିଳିଥିଲା । ଘରେ ଘରେ, ଦୋକାନ ବଜାର ଓ ମନ୍ଦିରଗୁଡିକରେ ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ବଳନ କରାଯାଇଥିଲା ।

ଏଥି ସହିତ ଇଚିଣ୍ଡା ଯୁବମୋର୍ଚ୍ଚା, ଅଁଳାଡୁବା ଯୁବମୋର୍ଚ୍ଚା, ପୁରୁଣାଘାଟି ଯୁବମୋର୍ଚ୍ଚା ଓ ଅନ୍ୟାନ୍ୟ ଯୁବମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରାରେ ବାହାରି ଜୟ ଶ୍ରୀରାମ ନାରା ଦେଇ ରାଇରଙ୍ଗପୁର ସହର ପରିକ୍ରମା କରାଯାଇଥିଲା । ରାମ ରାମ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ରାଇରଙ୍ଗପୁର ସହର । ଜିଲ୍ଲାବାସୀ ଅତ୍ୟନ୍ତ ଉତ୍ସାହ ସହକାରେ ଦିନଟିକୁ ଗୋଟିଏ ବଡ଼ ଉତ୍ସବ ଭାବରେ ପାଳନ କରିଛନ୍ତି । ତେବେ ରାମଲାଲା ପ୍ରାଣ ପ୍ରତିଷ୍ଠା ଅବସରରେ ଜିଲ୍ଲାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ସମଗ୍ର ଜିଲ୍ଲା ରାମମୟ ହୋଇଉଠିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details