ଭୁବନେଶ୍ବର:ଗତକାଲି ଉତ୍ତର-ବଙ୍ଗୋପସାଗର ଓ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଫଳରେ ଆସନ୍ତା ୪୮ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ଏହି ଜିଲ୍ଲାଗୁଡିକ ବର୍ଷା ସମ୍ଭାବନା:-
ଆଜି ରାଜ୍ୟରେ କିଛି ସ୍ଥାନରେ ହାଲକାରୁ ମଧ୍ୟମଧରଣର ବର୍ଷା ହେବାକୁ ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ପ୍ରବଳ ବର୍ଷା ଅର୍ଥାତ ୭ରୁ ୧୧ ସେମି ବର୍ଷା ପାଇଁ ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର, କଟକ, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ, ବରଗଡ଼, ଝାରସୁଗୁଡା, ସମ୍ବଲପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ଜନ୍ମାଷ୍ଟମୀରେ ପ୍ରବଳ ବର୍ଷା:
ଆସନ୍ତାକାଲି ରହିଛି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସ୍ବବ ‘ଜନ୍ମାଷ୍ଟମୀ’ । କାଲି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷାକୁ ନେଇ ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁର, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।