ଭୁବନେଶ୍ବର: ସାରା ଓଡ଼ିଶାରେ କମିବ ଶୀତର ପ୍ରଭାବ, ବଢିବ ତାପମାତ୍ରା । ଆସନ୍ତା ୨ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଶୀତ ଯଦିଓ ସାମାନ୍ୟ କମିବ, ମାତ୍ର ଘନକୁହୁଡି କଲବଲ କରିବ । ୨୩ ତାରିଖ ପର୍ଯ୍ୟନ୍ତ ଘନକୁହୁଡିର ସମ୍ଭାବନା ରହିଥିବା ବେଳେ ଏନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
- ଘନକୁହୁଡ଼ି ୟେଲୋ ୱାର୍ଣ୍ଣିଂ:
ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ତାପମାତ୍ରାରେ କୌଣସି ବେଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସହ ଶୀତର ପରିମାଣ ସାମାନ୍ୟ କମିବ । ଆସନ୍ତାକାଲି ପର୍ଯ୍ୟନ୍ତ ୪ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବାକୁ ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ସେହିପରି ୨୩ ତାରିଖରେ ମଧ୍ୟ ଘନ କୁହୁଡ଼ି ଦେଖାଦେବ । ଏଥିପାଇଁ ୩ ଜିଲ୍ଲା କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
- ଭୋର ସମୟରେ ଅଧିକ ରହିବ କୁହୁଡ଼ି:
ସେହିପରି ଆଜି ଓ ଆସନ୍ତାକାଲି ସକାଳ ସମୟରେ ଜଗସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୁଶ୍ୟମାନ ହେବ । ଏହାସହ ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାନ ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ । ସେହିପରି ୨୩ ତାରିଖ ଭୋର ସମୟରେ ଉପକୂଳ ଓଡ଼ିଶା ସହ କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।