ରାଇରଙ୍ଗପୁର/ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାରଦ ହ୍ରାସ ପାଇଥିବା ବେଳେ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଶୀତର ପ୍ରକୋପ ବଢ଼ୁଛି । ଶୀତ ପ୍ରକୋପରେ ପ୍ରବଳ ଜାଡ଼ରେ ଥରୁଛି ମୟୂରଭଞ୍ଜ ଜିଲ୍ଲା । ଚଳିତବର୍ଷରେ ସର୍ବନିମ୍ନ ତାପମାତ୍ରାରେ ପହଞ୍ଚିଛି ଶିମିଳିପାଳ ଅଭୟାରଣ୍ୟ ।
ଜାଡ଼ରେ ଥରୁଛି ଶିମିଳିପାଳ:
ଶୀତ ପ୍ରକୋପରେ ପ୍ରବଳ ଜାଡ଼ରେ ଥରୁଛି ଶିମିଳିପାଳ ସମେତ ମୟୂରଭଞ୍ଜ ଜିଲ୍ଲାର ସମଗ୍ର ଅଞ୍ଚଳ । ଚଳିତବର୍ଷ ସର୍ବନିମ୍ନ ତାପମାତ୍ରାରେ ପହଞ୍ଚିଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟରେ ପାରଦା ୧ ଡିଗ୍ରୀକୁ ଖସି ଆସିବାରେ ରେକର୍ଡ କରିଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି ।
Odisha Weather imd report cold wave in mayurbhanj similipal (ETV Bharat Odisha) ସପ୍ତାହେ ହେଲା ବଢୁଛି ଶୀତ ପ୍ରକୋପ:
ଗତ ସପ୍ତାହ ଧରି ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ତାପମାତ୍ରା ନିମ୍ନଗାମୀ ହେବା ସହ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଛୁଇଁଥିଲା । ଗତକାଲି (ରବିବାର) ରାତିରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ସେଲସିୟସକୁ ଖସି ଆସିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ଉପର ବାରାହା କାମୁଡାରେ ସର୍ବନିମ୍ନ ୧ ଡିଗ୍ରୀ ତାପମାତ୍ରା ଛୁଇଁଥିବା ବେଳେ ଚହଲା ୩ ଡିଗ୍ରୀ, ନୱଣା ୪ଡିଗ୍ରୀ, ବରେହିପାଣି ୫ଡିଗ୍ରୀ, ରାମତୀର୍ଥ ୧୦ଡିଗ୍ରୀ, ଗୁଡୁଗୁଡ଼ିଆ ୬ ଡିଗ୍ରୀ ଓ କିଆଝରିରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
Mayurbhanj Similipal (ETV Bharat Odisha) ପାଣିପାଗ ସଂପର୍କିତ ଏହି ଖବର ମଧ୍ୟ ପଢ଼ନ୍ତୁ - |
Snowfall In Mayurbhanj Similipal (ETV Bharat Odisha) ମୟୂରଭଞ୍ଜ ଜିଲ୍ଲାରେ କେଉଁଠି କେତେ ତାପମାତ୍ରା ?
- ଶିମିଳିପାଳ ଉପର ବାରାହା କାମୁଡ଼ା- ୧ ଡିଗ୍ରୀ ସେଲସିୟସ
- ଚହଲା- ୩ ଡିଗ୍ରୀ ସେଲସିୟସ
- ନୱଣା -୪ ଡିଗ୍ରୀ ସେଲସିୟସ
- ବରେହିପାଣି - ୫ଡିଗ୍ରୀ ସେଲସିୟସ
- ରାମତୀର୍ଥ - ୧୦ ଡିଗ୍ରୀ ସେଲସିୟସ
- ଗୁଡୁଗୁଡ଼ିଆ -୬ ଡିଗ୍ରୀ ସେଲସିୟସ
- କିଆଝରି - ୧୦ ଡିଗ୍ରୀ ସେଲସିୟସ
ମୟୂରଭଞ୍ଜରେ ତୁଷାରପାତ ଭ୍ରମ:
ଶିମିଳିପାଳ ଅଭୟାରଣ୍ୟ ପର୍ବତମାଳାର ଅନେକ ସ୍ଥାନରେ ପ୍ରବଳ ଜାଡ଼ କାରଣରୁ ଆଜି (ସୋମବାର) ସକାଳୁ ତୁହିନ ଆସ୍ତରଣ ଦେଖିବାକୁ ମିଳିଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳ ଗୁଡ଼ିକରେ ତାପମାତ୍ରା ହ୍ରାସ ଯୋଗୁଁ ରାତିରେ ଘାସ, ଗଛ ଏବଂ ଲତାମାନଙ୍କ ଉପରେ ପଡ଼ିଥିବା କାକର ବିନ୍ଦୁ ଜମାଟ ବାନ୍ଧି ତୁହିନର ଆସ୍ତରଣରେ ପରିଣତ ହୋଇଥିବା ବେଳେ ତୁଷାରପାତର ଭ୍ରମ ସୃଷ୍ଟି କରିଛି । ଯାହା ଫଳରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବିଭିନ୍ନ ନେଚର କ୍ୟାମ୍ପ ଗୃହ ଓ ଘାସ ଗାଲିଚା ଉପରେ ତୁହିନର ଆସ୍ତରଣ ଦେଖିବାକୁ ମିଳିଛି । ପାରଦ ଖସିବାରୁ ଶିମିଳିପାଳ ଅଭୟାରଣ୍ୟ ସମେତ ଜିଲ୍ଲାବ୍ୟାପୀ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ପ୍ରବଳ ଥଣ୍ଡା କାରଣରୁ ସନ୍ଧ୍ୟା ହେଲେ ଗାଁରୁ ସହର ସବୁଠି ରାସ୍ତାଘାଟ ଶୂନଶାନ ହୋଇଯାଉଛି । ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡ଼ି ରହୁଛି । ଆଭ୍ୟନ୍ତରୀଣ ଶିମିଳିପାଳର ଅନ୍ୟାନ୍ୟ ମୁଖ୍ୟ ସ୍ଥାନ ଦେବସ୍ଥଳୀ, ଜେନାବିଲ, କୁମାରୀ ଓ ତାରାଣୀବିଲାରେ ମଧ୍ୟ ପ୍ରବଳ ମାତ୍ରାରେ ଶୀତ ଅନୁଭୂତ ହେଉଥିବାର ସୂଚନା ମିଳିଛି ।
ଉତ୍ତର-ପଶ୍ଚିମା ପବନ ପ୍ରବାହରେ ହାଡ଼ଭଙ୍ଗା ଶୀତ :
ବିଗତ ବର୍ଷଗୁଡ଼ିକରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ଶୂନ୍ୟ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଆହୁରି ତାପମାତ୍ରା ଖସିବାର ଯଥେଷ୍ଟ ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମା ପବନ ପ୍ରବାହିତ ଯୋଗୁଁ ହାଡ଼ଭଙ୍ଗା ଶୀତ ଅନୁଭୁତ ହେଉଛି । ଆଗକୁ ତାପମାତ୍ରା ଆହୁରି କମିବା ଯୋଗୁଁ ଅଧିକ ଶୀତର ପ୍ରକୋପ ବଢ଼ିବା ସହ ତୁହିନ ଆସ୍ତରଣ ଦେଖିବାକୁ ମିଳିପାରେ ।
ପାଣିପାଗ ସଂପର୍କିତ ଏହି ଖବର ମଧ୍ୟ ପଢ଼ନ୍ତୁ - |
ଓଡ଼ିଶାର ଭୂସ୍ବର୍ଗ ପାଲଟିଛି ଶିମିଳିପାଳ:
ଆଗକୁ ନୂଆବର୍ଷ ଏବଂ ପିକନିକ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ଶୀତ ଏବଂ କୁହୁଡ଼ି ମଧ୍ୟରେ ଶିମିଳିପାଳର ପ୍ରାକୃତିକ ପରିବେଶର ମଜା ନେବାର ସୁଯୋଗକୁ କେହି ବି ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ପାହାଡ଼ ଏବଂ ପ୍ରକୃତିମାଳାରେ ଘେରି ରହିଥିବା ଶିମିଳିପାଳରେ ତୁଷାରପାତ ପରେ ଓଡ଼ିଶାର କାଶ୍ମୀର ପରି ଭୂସ୍ବର୍ଗ ପାଲଟି ଯାଇଛି । ଯାହା ପର୍ଯ୍ୟଟକମାନଙ୍କ ପାଇଁ ଖୁବ ମଜାର କାରଣ ସାଜିଛି ।
ରାଜ୍ୟରେ ଶୀତ ଲହରୀ:
ଭୁବନେଶ୍ବର ପାଣିପାଗ ବିଭାଗର ପୂର୍ବାନୁମାନ, ରାଜ୍ୟରେ ଆଉ ଦିନେ ଦୁଇଦିନ ଜାରି ରହିପାରେ ଶୀତର ପ୍ରକୋପ । ବିଶେଷ କରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ । ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ଲହରୀ(Cold Wave) ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଭୁବନେଶ୍ବର ପାଣିପାଗ ବିଭାଗ ଆଜି ପାଇଁ (ଡିସେମ୍ବର ୧୬ ତାରିଖ) ଝାରସୁଗୁଡା, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି । ତେବେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଇଟିଭି ଭାରତ, ରାଇରଙ୍ଗପୁର/ଭୁବନେଶ୍ବର