ସମ୍ବଲପୁର: ମନ୍ଦଳିଆ ପଡିଆରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବ୍ୟାଙ୍ଗଙ୍କୁ ଇ-ରିକ୍ସା ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପ୍ରର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫୦୦ ଦିବ୍ୟାଙ୍ଗ ହିତାଧିକାରୀ ଏହି ଇ-ରିକ୍ସା ଗ୍ରହଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ‘ମହାନଦୀ କୋଲଡ଼ଫିଲ୍ଡ ଲିମିଟେଡ଼’(MCL)ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । MCL ନିଜର ‘କର୍ପୋରେଟ-ସାମାଜିକ ଉତ୍ତରଦାୟିତ୍ବ ପାଣ୍ଠି’ (CSR)ରୁ 500ଟି ଇ-ରିକ୍ସା ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଅନ୍ୟ କିଛି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।
- 5ଶହ ଦିବ୍ୟାଙ୍ଗ ପାଇଲେ ଇ-ରିକ୍ସା
ଗତକାଲି (ରବିବାର) ଅପରାହ୍ନ ପ୍ରାୟ 3ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସମ୍ବଲପୁର ଜମାଦାର ପାଲି ସ୍ଥିତ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ l ଏଠାରୁ ସେ ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ‘ହୀରକ ଜୟନ୍ତୀ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହା ପରେ ସେ ସହରର ମନ୍ଦଳିଆ ପଡିଆରେ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗଙ୍କୁ ଇ-ରିକ୍ସା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟବ୍ୟାପୀ 500 ଜଣ ଦିବ୍ୟାଙ୍ଗଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ସହ କେତେକ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଓ ସହାୟତା ଉପକରଣ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର, ଆରଡିସି, ଜିଲ୍ଲାପାଳ, ପୋଲିସ ଆଇଜି ଓ ଏସପିଙ୍କ ସହ ‘MCL’ର ସିଏମଡି ଉଦୟ ଆନନ୍ଦ କୋଓଲେ ପ୍ରମୁଖ ଉପସ୍ଥିତ ରହିଥିଲେ l
ଦିବ୍ୟାଙ୍ଗଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ,‘‘ଦିବ୍ୟାଙ୍ଗଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ l ଦିବ୍ୟାଙ୍ଗମାନେ କୌଣସି ଜିନିଷ ମାଗନ୍ତି ନାହିଁ, ସେମାନେ କେଵଳ ସମ୍ମାନର ସହ ଜୀଵନ ଅତିବାହିତ କରିବା ପାଇଁ ଅଧିକାର ମାଗନ୍ତି l ତେବେ ସେମାନଙ୍କ ପ୍ରତି ସମାଜର ଥିବା ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ପଡିବ l ଦିବ୍ୟାଙ୍ଗ ହେବା ସମସ୍ୟା ନୁହେଁ, ଦିବ୍ୟାଙ୍ଗମାନେ କୌଣସି ଗୁଣରେ କମ ନୁହନ୍ତି l’’ ଏହା ପରେ ମୁଖ୍ୟମନ୍ତ୍ରୀ ଅନ୍ୟ କେତେକ ସଂଗଠନ ଓ ସିନ୍ଦୁରପଙ୍କ ସରକାରୀ ହାଇସ୍କୁଲର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l
ଇଟିଭି ଭାରତ, ସମ୍ବଲପୁର