ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ଶୀତ । ଉପକୂଳରୁ ଆଭ୍ୟନ୍ତରୀଣ, ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆଗାମୀ ୨ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବାବେଳେ ଏଭଳି ଶୀତ ଜାରି ରହିବ । ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ରହୁଥିବାରୁ ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାବେଳେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଘନ କୁହୁଡ଼ିକୁ ନେଇ ଆଗାମୀ ୩ ଦିନ ଯାଏଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଘନ କୁହୁଡ଼ି ୱାର୍ଣ୍ଣିଂ:
ଆଗାମୀ ୨ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରେ ୩ ଦିନ ପର୍ଯ୍ୟନ୍ତ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ ସାମାନ୍ୟ କମିବାର ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ଘନ କୁହୁଡ଼ି ଲାଗି ରହିଥିବା ବେଳେ ବିଶେଷ କରି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ସତର୍କ ଜାରି କରାଯାଇଛି । ଆଗାମୀ ୨ ଦିନ ପାଇଁ ୪ ଜିଲ୍ଲା କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୨ ତାରିଖରେ ଘନ କୁହୁଡ଼ି ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାକୁ କବଳିତ କରିବ । ଘନ କୁହୁଡ଼ି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନର ଦୂରତା ୨୦୦ ମିଟର ରହିବ ।
ଏହି ଜିଲ୍ଲାରେ ରହିବ ହାଲୁକା କୁହୁଡି:
ସେପଟେ ଘନ କୁହୁଡ଼ି ସାଙ୍ଗକୁ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର କୁହୁଡି ରହିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ । ସେହିପରି ଆସନ୍ତାକାଲି ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖାଯିବ । ୨୨ ତାରିଖରେ କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଓ ଢେଙ୍କାନାଳରେ ହାଲୁକା କୁହୁଡ଼ି ଦୃଶ୍ୟମାନ ହେବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।