ଭୁବନେଶ୍ବର: ଦୀର୍ଘ ତିନି ବର୍ଷର ବ୍ୟବଧାନରେ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଆଜି ଓଡ଼ିଶାର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ୨୦୨୪ ପ୍ରଜ୍ଞାପନ ମେଢ ପାଇଁ ଚଳିତବର୍ଷର ଅନ୍ୟତମ ବିଷୟବସ୍ତୁ ‘ବିକଶିତ ଭାରତ’କୁ ନେଇ ନିର୍ମିତ ଓଡ଼ିଶାର ପ୍ରଜ୍ଞାପନ ମେଢ ଆଜି ଅନୁଷ୍ଠିତ ଚୂଡ଼ାନ୍ତ ଅଭ୍ୟାସ ପ୍ୟାରେଡରେ ଭାଗ ନେଇଛି । ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ନାରୀଶକ୍ତି କୈନ୍ଦ୍ରିକ ହେବ ।
ନାରୀଶକ୍ତି କୈନ୍ଦ୍ରିକକୁ ଦୃଷ୍ଟିରେ ରଖି ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି । ମେଢରେ ରାଜ୍ୟର ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଅର୍ଥନୈତିକ ଉନ୍ନତି ଓ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହୋଇଛି । ୪୫ ଫୁଟ ଦୈର୍ଘ୍ୟ, ୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଏହି ବିଶାଳ ପ୍ରଜ୍ଞାପନ ମେଢ । ଗତକାଲି ରାତି ୧୦ ଟା ସମୟରେ ମେଢ କଡା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରୁ ବାହାରି ସଂସଦ ଭବନ ଦିଗକୁ ଅଗ୍ରସର ହୋଇଛି । ରାଷ୍ଟ୍ରପତି ଭବନ ସମ୍ମୁଖରେ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ମହିଳା କଣ୍ଟିଜେଣ୍ଟମାନଙ୍କ ଅଭ୍ୟାସ ପ୍ୟାରେଡ ପରେ ପରେ ପଞ୍ଚମ ପ୍ରଜ୍ଞାପନ ମେଢ ଭାବରେ ଓଡ଼ିଶାର ସୁଦୃଶ୍ୟ ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଥିଲା । ପ୍ରଜ୍ଞାପନ ମେଢ ଉପରେ ଓଡ଼ିଶାର ମହିଳା ହସ୍ତଶିଳ୍ପୀମାନେ ଚାନ୍ଦୁଆ ଓ ପଟ୍ଟଚିତ୍ର ପ୍ରସ୍ତୁତି ପ୍ରଦର୍ଶନ ହୋଇଛି । ମେଢର ଉଭୟ ପାଶ୍ବର୍ରେ ବାଲେଶ୍ବର ଜିଲ୍ଲା ଗୋପାଳପୁରର ଲକ୍ଷ କଳାବିକାଶ କେନ୍ଦ୍ରର ମହିଳା ନୃତ୍ୟଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଛନ୍ତି ।
ଅଧିକ ପଢନ୍ତୁ- ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି; ଅଭ୍ୟାସ କଲା ଓଡିଶାର ପ୍ରଜ୍ଞାପନ ମେଢ