ଭୁବନେଶ୍ବର:ଲୋକସେବା ଭବନର କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । କର୍ମକ୍ଷେତ୍ରରେ ଚାପ ଯୋଗୁଁ ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗର ASO ମୋରା ମାରାଣ୍ଡିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ପରିବାର ଲୋକଙ୍କ ଏଭଳି ସାଙ୍ଘାତିକ ଅଭିଯୋଗ ପରେ ବଢିଛି ଅଡୁଆ । କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମୋର୍ଟମ ବେଳେ ମୃତକ ମୋରା ମାରଣ୍ଡିଙ୍କ ଭିଣୋଇ ଏପରି କହିଛନ୍ତି । ସେ କହିଛନ୍ତି, "ଭୁବନେଶ୍ୱରରେ ରହିବା ପରେ ସେ ASO ଭାବେ ସେକ୍ରେଟାରିଏଟରେ ଯୋଗଦେଇଥିଲେ । ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗରେ କାମ କରୁଥିଲେ । ହେଲେ ନୂଆ କରି ଯୋଗଦେବା ପରେ କାମରେ ଚାପ ପଡୁଥିଲା । ଯାହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲା । କଥା ହେବା ବେଳେ ସେ ଏକଥା ଜଣାଇଥିଲା ।"ତେଣୁ ଚାପ ସହି ନପାରି ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ ।
ସେହିପରି ମୋରା ମାରାଣ୍ଡିଙ୍କ ସହ ହଷ୍ଟେଲରେ ରହୁଥିବା ସହକର୍ମୀ ଜଗନ୍ନାଥ ମୁର୍ମୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଜଗନ୍ନାଥ କହିଛନ୍ତି, "ଗତକାଲି ସେ ଅଫିସ ବାହାରିନଥିଲା । ସେ ଅଫିସ ଯିବାକୁ ମନା କରିବାରୁ ମୁଁ ଓ ଅନ୍ୟମାନେ ଅଫିସ ବାହାରିଗଲୁ ।" ବିଭିନ୍ନ ବିଭାଗ ଅଲଗା ହେଲେ ମଧ୍ୟ ଏକା ବ୍ୟାଚର ଅଫିସର ଯୋଗୁଁ ସେମାନେ ଏକାଠି ରହିବା ସହ ସମସ୍ତେ ମିଶି ଅଫିସ ବାହାରନ୍ତି । ହେଲେ ଅଫିସ ଆସି ପୁଣି ଫେରିବା ପରେ ଦୀର୍ଘ ସମୟ ଧରି ଘର ଖୋଲି ନଥିଲା । ପରେ ଝରକା ସାହାଯ୍ୟରେ ଦେଖିବା ପରେ ଝୁଲନ୍ତା ଅବସ୍ଥାରେ ନିଜ ସହକର୍ମୀକୁ ଦେଖିଥିବା କହିଛନ୍ତି ଜଗନ୍ନାଥ । ତାଙ୍କ ପାଖରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ମିଳିଛି ବୋଲି କହିଛନ୍ତି ସହକର୍ମୀ ।