ଆନ୍ଦୋଳନ ଚେତାବନୀ ଦେଲା ଶିକ୍ଷକ ସଙ୍ଘ ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକମାନେ ଚଳିତ ମାସ ୭ ତାରିଖରେ ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇବେ । ୩୦ ବର୍ଷରୁ ଊର୍ଦ୍ଧ୍ବ ନିରବଚ୍ଛିନ୍ନ ଭାବରେ ଚାକିରି କଲାପରେ ଶୂନ୍ୟହସ୍ତରେ ଅବସର ନେବା ଓ ୨୦ରୁ ୨୫ ବର୍ଷ ବିନା ଅନୁଦାନରେ ଚାକିରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (OSSTA) । ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଇତ୍ୟାଦି ଦାବିକୁ ପୂରଣ କରିବାକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ସଂଘ ।
ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, "୨୦୧୩ ମସିହାରେ ସରକାର ୫୬୬ ଅନୁଦାନଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ଦେବା କଥା । ହେଲେ ୨୦୧୫ ମସିହାରେ ୩୯୯ଟି ବିଦ୍ୟାଳୟକୁ ଅନୁଦାନ ପରିସରଭୁକ୍ତ କରାଗଲା । ତେଣୁ ୧୬୭ଟି ବିଦ୍ୟାଳୟ ଅନୁଦାନ ପାଇବାରୁ ବଞ୍ଚିତ ହେଲେ । ୨୦୧୫ ମସିହାରେ ଆଉ କୌଣସି ବିଦ୍ୟାଳୟକୁ ଅନୁଦାନ ନଦେବା ପାଇଁ ସରକାର ନିଷ୍ପତ୍ତି ନେଲେ । ୨୦୧୭ ଅନୁଦାନ ଆଇନରେ ସରକାର ଐତିହାସିକ ଗ୍ରାଣ୍ଟ-ଇନ୍-ଏଡ୍ ପ୍ରଦାନ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ବ ଅବସର ନେଇଗଲେଣି । ସେମାନେ ୩୦ ବର୍ଷରୁ ଊର୍ଦ୍ଧ୍ବ କାଳ ସେବା ଯୋଗାଇଥିଲେ ମଧ୍ୟ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି । ଅବସର ନେବା ପରଦିନ ଟଙ୍କାଟିଏ ମଧ୍ୟ ଔଷଧ କିଣିବା ପାଇଁ ନପାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ।"
ଏହା ମଧ୍ୟ ପଢ଼ନ୍ତୁ...ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଶିକ୍ଷକ ସଂଘ
ଏଥିପାଇଁ ବିଭିନ୍ନ ଦାବି ନେଇ ଆସନ୍ତା ୭ ଫେବୃଆରୀରେ ଆନ୍ଦୋଳକୁ ଓହ୍ଲଇବ ଶିକ୍ଷକ ସଂଘ । ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ସରକାରୀକରଣ ହୋଇନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ୨୮୦୦, ୨୨୦୦, ୧୯୦୦ ଗ୍ରେଡ୍ପେରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ୍ ପ୍ରଦାନ, ହିନ୍ଦି ଓ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା ପ୍ରଦାନ, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦି ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟିଜି ସ୍କେଲ ପ୍ରଦାନ, ଆଲେକେଡ୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର୍ଏ ସ୍କିମ୍ର ପୁନଃ ପ୍ରଚଳନ କରିବା, ୬୧୦ ପୂର୍ଣ୍ଣଅନୁଦାନ ପ୍ରାପ୍ତ ଓ ୧୧୦ ବାଳିକା ବିଦ୍ୟାଳୟର ସରକାରୀକରଣ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ-ବିପିଏଡ୍ ଓ ବିଏ-ସିପିଏଡ୍ ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଉର୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ୨୦୦୪ରୁ ୨୦୧୩ ନିଯୁକ୍ତି ପାଇଥିବା ଚୁକ୍ତିଭିଭିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ ଓ ନୂତନ ପେନସନ୍ ସ୍କିମ୍ (ଏନ୍.ପି.ଏସ୍) ପରିବର୍ତ୍ତେ ପୂରାତନ ପେନସନ୍ ସ୍କିମ୍ (ଓ.ପି.ଏସ୍) ଲାଗୁ କରିବା ପାଇଁ ଦାବି କରିଛି ସଂଘ ।
ତେବେ ଯଦି ସରକାର ଆସନ୍ତା ୬ ତାରିଖ ଭିତରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଚଳିତ ଫେବୃଆରୀ ୭ ତାରିଖରୁ ହଜାର ହଜାର ସଂଖ୍ୟାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏକ ମହାସମାବେଶ ଭୁବନେଶ୍ବରରେ କରିବେ । ଏହା ସହିତ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସି ରହିବେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର