ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଶପଥ ଉତ୍ସବ ପାଇଁ ଜନତା ମଇଦାନରେ ବ୍ୟାପକ ଆୟୋଜନ ହୋଇଛି । ଏନେଇ ଉତ୍ସବ ସ୍ଥଳର ସୁରକ୍ଷା ତଦାରଖ କରିଛନ୍ତି ଡିଜି । ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ଶପଥ ଗ୍ରହଣ ସମାରୋହ ଲାଗି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।
ଏହି ଅବସରରେ ଡିଜି କହିଛନ୍ତି ଯେ, ୧୦ ତାରିଖରେ ଶପଥ ଗ୍ରହଣ ସମାରୋହ ରହିଛି । ତାହା ପାଇଁ ଉପଯୁକ୍ତ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି । ସମୟ ସ୍ଥିର ହୋଇନାହିଁ ଯେହେତୁ ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯକ୍ରମ ରହିଛି । ସେନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏସପିଜି ମଧ୍ୟ ଆସି ସାରିଲେଣି । ଏଥିପାଇଁ ଯେତେ ଫୋର୍ସ ଦରକାର ସେନେଇ ଆମର ବ୍ୟବସ୍ଥା କରଯାଉଛି । ଅନ୍ୟ ଭିଆଇପିମାନେ ଆସିବାକୁ ଦୃଷ୍ଟିରେ ରଖି ତାଙ୍କ ପାଇଁ ସୁରକ୍ଷା ଆବଶ୍ୟକତା ଅନୁସାରେ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ୩୫ ପ୍ଲାଟୁନ ଫୋର୍ସର ବ୍ୟବସ୍ଥା କରାଯାଇଛି ।
ସେହିପରି କମିସନରେଟ ପୋଲିସ ପକ୍ଷରୁ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଜାରି ରହିଛି । ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯେଉଁମାନେ ଆସିବେ ସେମାନଙ୍କ ରହଣି ସ୍ଥଳ ଓ କାର୍ଯକ୍ରମ ସ୍ଥଳ ସହ ବିଜେପି ପାର୍ଟି ଅଫିସକୁ ମିଶାଇ ଏକ ସୁରକ୍ଷା ପ୍ରୋଟୋକଲ ରହିଛି । ସହରକୁ ଏକ ସୁରକ୍ଷା ବଳୟରେ ରଖାଯାଇଛି । ସବୁଠି ଚେକିଂ ବ୍ଲକିଂ ଚାଲିଛି । ସହରର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି । ଏନେଇ ଯାହା ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ ହେବା କଥା ସେନେଇ ବନ୍ଦୋବସ୍ତ କରାଯାଉଛି ।