ଭୁବନେଶ୍ବର: ଖୁବଶୀଘ୍ର ସଂସଦରେ ଆଗତ ହେବାକୁ ଯାଉଛି ଦେଶର ସାଧାରଣ ବଜେଟ । ଫେବୃଆରୀ ୧ ତାରିଖରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହରେ ନିଜର ଅଭିଭାଷଣ ରଖିଛନ୍ତି। ଏହାପରେ ୨୦୨୪ -୨୫ ଆର୍ଥିକ ବର୍ଷର ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ। ଅର୍ଥନୈତିକ ସର୍ଭେ ୨୦୨୪-୨୫ ହେଉଛି ଏହି ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ପ୍ରଦର୍ଶନର ଆକଳନ ରିପୋର୍ଟ। ଏହି ସର୍ବେକ୍ଷଣରେ ଉତ୍ପାଦନ ଏବଂ ସେବା ଭଳି ଶିଳ୍ପଗୁଡ଼ିକର ଧାରା ପ୍ରକାଶ ପାଇଥାଏ।
ଏପ୍ରିଲ ୪ ତାରିଖ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ଚାଲିବ ବଜେଟ ଅଧିବେଶନ। ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୩ ତାରିଖ ଯାଏ ଓ ଦ୍ବିତୀୟ ପର୍ୟ୍ୟାୟ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୪ ତାରିଖ ଯାଏଁ ଚାଲିବ। ଏହି ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ସରକାର। ସର୍ବ ଭାରତରେ ଆୟୁଷ୍ମାନ ଭାରତ ଯୋଜନାକୁ ଆହୁରି ମଜବୁତ କରିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଆୟୁଷ୍ମାନ ଯୋଜନା କିପରି ପ୍ରତିଟି ଭାରତୀୟ ନିକଟରେ ପହଞ୍ଚିବ ସେ ନେଇ ସରକାର ସମସ୍ତ ଉଦ୍ୟମ ଚଳାଇଛନ୍ତି । ଏହା ସହ ଆଇଟି କ୍ଷେତ୍ରରେ ମଧ୍ୟ ଅଧିକ ଧ୍ୟାନ ଦିଆଯିବା ଉଚିତ ବୋଲି ଆଶା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
- ସ୍ୱାସ୍ଥ୍ୟ ଓ ଆଇଟି କ୍ଷେତ୍ରରେ ଅଧିକ ଆଶା ରହିଛି
ବଜେଟକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, "ଆମେ ଆଶା ରଖୁଛୁ ଯେ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଉଛନ୍ତି । ଅନେକ ଗୁଡିଏ ଆଶା ରହିଛି। ବର୍ତ୍ତମାନ ଆମେ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କରୁଛୁ। ଆଗାମୀ ଦିନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ବଜେଟ ଘୋଷଣା ହୋଇପାରେ। ଏହାର ଦୁଇଟି ଦିଗ ରହିଛି। ଗୋଟିଏ ଆୟୁଷ୍ମାନ ଯୋଜନା। ଯେଉଁଥିରେ ଭାରତ ବର୍ଷକୁ ସାମିଲ କରାଯାଇଛି । କେବଳ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଆୟୁଷ୍ମାନ କରାଯାଇନାହିଁ। ଏପଟେ ୭୦ ବର୍ଷ ରୁ ଅଧିକ ବୟସ୍କ ଲୋକମାନଙ୍କ ପାଇଁ ବାୟୁବନ୍ଧନ କାର୍ଡରେ ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ଚିକିସା ଯୋଗାଇ ଦିଆଯିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଏକ ବଜେଟ ଆସିପାରେ।
ଦ୍ବିତୀୟରେ ହେଉଛି ଆଇଟି ସେକ୍ଟର। ଆଇଟିରେ ଗୁଡିଏ ଷ୍ଟାର୍ଟଅପ୍ ଆସୁଛି। ସେମି କଣ୍ଡକ୍ଟର ପଲିସି, ଏଆଇ ମିଶନ ଇଣ୍ଡିଆ ଆଦି ସାମିଲ କରାଯାଇଛି। ସ୍ୱାସ୍ଥ୍ୟ ଓ ଆଇଟି କ୍ଷେତ୍ରରେ ଆଦି ବଜେଟରେ ଅଧିକ ପ୍ରାଧାନ୍ୟ ଦିଆଯିବ" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।