ହାଇଦ୍ରାବାଦ: 2024 ନିର୍ବାଚନରେ ଦମ୍ ଦେଖାଇବା ବିଜେପି । ବିଜେପିର ଅବିଶ୍ବସନୀୟ, ଅଦ୍ଭୁତପୂର୍ବ ବିଜୟରେ ଧୂଳି ଚାଟିଛି ବିଜେଡି । ବିଜେଡି ଗଡରେ ପଦ୍ମ ଫୁଟାଇବାରେ ସଫଳ ହୋଇଛି ଦଳ । ଲୋକସଭା ନିର୍ବାଚନରେ ବିଜେପି କ୍ଲିନ ସ୍ବିପ କରିଥିବା ବେଳେ ବିଜେଡି ଗଡରେ ଫରଫର ହୋଇ ଉଡୁଛି ବିଜେପିର ବିଜୟୀ ପତାକା । ବିଜେପି ହାତ ଛାଡି ସେଞ୍ଜୁରୀ ମାରୁଥିଲା ବିଜେଡି, ଏଥର ଗୋଟିଏ ଝଟକାରେ ହାଫସେଞ୍ଚୁରୀ । 2009 ମସିହାରେ 103, 2014ରେ 117 ଏବଂ 2019ରେ 113 ଆସନ ଦଖଲ କରିଥିବା ବେଳେ ଚଳିତ ଥର ବିଜେଡି ହାତକୁ ମାତ୍ର 51 ଆସନ ଯାଇଛି । ବିଗତ ଦିନରେ ଯେଉଁ ମନ୍ତ୍ରୀମାନେ ଗଡ ସମ୍ଭାଳୁଥିଲେ ଚଳିତ ନିର୍ବାଚନରେ ତାଙ୍କ ପୁଅମାନେ ନିର୍ବାଚନ ବୈତରଣୀ ମଧ୍ୟ ପାର୍ ହୋଇପାରି ନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସନ୍ତାନଙ୍କୁ ମଧ୍ୟ ପରାଜୟ ସ୍ବୀକାର କରିବାକୁ ପଡିଛି । ଏହି ରେସରେ ରହିଛନ୍ତି ପୂର୍ବତନ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ହେମାନନ୍ଦ ବିଶ୍ବାଳଙ୍କ ସନ୍ତାନ । ଅନେକ ମନ୍ତ୍ରୀଙ୍କ ପୁଅକୁ ଜୋରଦାର ଝଟକା ଲାଗିଛି । ଅନେକ ମନ୍ତ୍ରୀଙ୍କ ପୁଅକୁ ଚିତପଟାଙ୍ଗ ହେବାକୁ ପଡିଛି ।
ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକଙ୍କ ଉପରେ ଚଳିତ ଥର ଆଶା ପ୍ରକଟ କରିଥିଲା କଂଗ୍ରେସ । ବେଗୁନିଆ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଜାନକୀ ପ୍ରେମୀ ରହିଥିବା ବେଳେ ପୃଥ୍ୱୀ ଏମାନଙ୍କୁ ଏକଜୁଟ କରି ମୈଦାନରେ ଜୋରଦାର ଲଢେଇ କରୁଥିଲେ । ହେଲେ ତାଙ୍କ ଭାଗରେ ହାର ପଟ ପଡିଥିଲା । 1995 ଏବଂ 2004 ମସିହାରେ ଦୁଇଥର ଗଡ ଦଖଲ କରିଥିଲେ ଜାନକୀ ବଲ୍ଲବ ପଟ୍ଟନାୟକ । ତେବେ ଚଳିତ ଥର ବେଗୁନିଆ ଗଡ ବିଜେଡି ଖାତାକୁ ଯାଇଛି । ପ୍ରଦୀପ ସାହୁ 90964 ଭୋଟ ପାଇଥିବା ବେଳେ ପୃଥ୍ୱୀ ମାତ୍ର 18144 ଭୋଟ ପାଇଛନ୍ତି । କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି ।
ଅମିତା ବିଶ୍ବାଳ: ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ଉପରେ ଆସ୍ଥା ଜନ୍ମାଇଥିଲା ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳଙ୍କୁ ଟିକେଟ ଦେଇଥିଲା କଂଗ୍ରେସ । ହେଲେ ବାପାଙ୍କ ରାଜନୈତିକ କ୍ୟାରିୟର ସମକକ୍ଷ ହୋଇପାରିଲେନି ଝିଅ । ବାପାଙ୍କ ଭଳି ବିଶ୍ବାସ କରିପାରିଲେନି ଜନତା । ଅମିତାଙ୍କୁ ମାତ୍ର 5775 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ 91105 ଭୋଟ ପାଇ ବାଜି ମାରିଥିଲେ ।
ଚିନ୍ମୟାନନ୍ଦ ଶ୍ରୀରୂପଦେବ:ପୂର୍ବରୁ ଚିକିଟି ବିଧାନସଭା ଆସନରେ ବିଜେଡିର ଦବଦବା ରହିଥିଲା । ଚିକିଟି ରାଜପ୍ରସାଦର ରାଣୀ ତଥା ମନ୍ତ୍ରୀ ଉଷା ଦେବୀ ଗଡ ସମ୍ଭାଳୁଥିବା ବେଳେ ଚଳିତ ଥର ନିର୍ବାଚନରେ ସେ ମୈଦାନକୁ ଓହ୍ଲାଇ ନଥିଲେ । ସ୍ବାସ୍ଥ୍ୟବସ୍ଥା ଠିକନଥିବା କାରଣରୁ ସେ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ହେଲେ ପୁଅ ନିର୍ବାଚନୀ ବୈତରଣୀ ପାର୍ ହେବାର ସଫଳ ହୋଇପାରିଲେ ନାହିଁ । ଚିକିଟିରେ ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ସେ 69839 ଭୋଟ ପାଇଥିବା ବେଳେ 63317 ଭୋଟ ପାଇ ପରାଜିତ ହୋଇଛନ୍ତି ।
ଦୀପାଳି ଦାସ:ଝାରସୁଗୁଡା ବିଧାନସଭା ଆସନରେ ହାରିଲେ ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ଦୀପାଳି ୧୩୨୨ ଖଣ୍ଡ ଭୋଟରେ ପରାଜୟ ହୋଇଛନ୍ତି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଝିଅ ଦୀପାଳି ଉପନିର୍ବାଚନରେ ବିଜୟୀ ହୋଇ ବିଧାୟିକା ହୋଇଥିଲେ । ଉପନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଥିବା ଟଙ୍କଧର ତ୍ରିପାଠୀଙ୍କ ହରାଇଥିଲେ । ଚଳିତ ନିର୍ବାଚନରେ ପୁଣିଥରେ ବିଜେଡି ଦୀପାଳିଙ୍କ ଉପରେ ଭରସା କରିଥିଲା । ହେଲେ ଏଥର ଜନତାଙ୍କ ବିଶ୍ବାସ ଜିତିପାରି ନାହାନ୍ତି ଦୀପାଳି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ତାଙ୍କ ପରାଜିତ ହେବାକୁ ପଡିଛି ।
ଅଙ୍କିତ ଜେନା:ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଚଳିତ ଥର ନିର୍ବାଚନକୁ ଓହ୍ଲାଇନଥିବା ବେଳେ ତାଙ୍କ ପୁଅ ଅଙ୍କିତ ଜେନାଙ୍କୁ ପ୍ରାର୍ଥୀ କରିଥିଲା ଶାସକ ଦଳ । ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଛନ୍ଦି ହୋଇ ତଦନ୍ତ ପରିସରରେ ଥିବା ପ୍ରତାପ ଏଥର ଦଳୀୟ ଟିକଟ ପାଇନଥିଲେ । ତେବେ ରାଜନୀତିରେ ଦବଦବା ରହିଥିବା ପ୍ରତାପଜେନାଙ୍କ ପୁଅଙ୍କ ଉପରେ ଆସ୍ଥା ପ୍ରକଟ କଲେନି ଜନତା । ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା 81209 ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶୁମନ୍ତ କୁମାର ଘଢେଇ 19481 ଭୋଟ ପାଇଥିଲେ । ତେବେ ବିଜେଡି ବିଜେପି ରେସକୁ ଟପିଯାଇ ବିଜୟୀ ହୋଇଥିଲେ ସାରଦା ପ୍ରସାଦ ପ୍ରଧାନ । ସ୍ବାଧୀନ ପ୍ରାର୍ଥୀ 88632 ଭୋଟ୍ ପାଇ ବିଜୟୀ ହୋଇଥିଲେ ।