କଟକ : ବେଆଇନ ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଛନ୍ତି କୋର୍ଟ । ବାଲିଘାଟରୁ କେମିତି ବାଲି ଉଠିବ, ଏଥିପାଇଁ କଣ ନିର୍ଦ୍ଧିଷ୍ଟ ନୀତି ନିର୍ଧାରଣ ହୋଇଛି, ତାହା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ । 2016 ମସିହାରେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ନିୟମ ମୁତାବକ କାର୍ଯ୍ୟ ହେଉନଥିବା ସମ୍ପର୍କରେ ଆଜି ଆବେଦନକାରୀ କୋର୍ଟଙ୍କୁ ଅବଗତ କରାଇଛନ୍ତି । ସେହିପରି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଜାରି କରିଥିବା ଗାଇଡଲାଇନକୁ ଆଧାର କରି ରାଜ୍ୟରେ ବାଲି ଉଠାଣ ହେଉନଥିବାକୁ ନେଇ ଆବେଦନକାରୀ ଆପତ୍ତି ଉଠାଇଛନ୍ତି । ଯାହା ଉପରେ ଆସନ୍ତା ସୋମବାର ଦିନ ରାଜ୍ୟ ସରକାରଙ୍କ ତରଫରୁ ପକ୍ଷ ରଖିବେ ଆଡ଼ଭୋକେଟ ଜେନେରାଲ ।
ତେବେ କେନ୍ଦ୍ରୀୟ ନିୟମ ଆଧାରରେ ରାଜ୍ୟ ସରକାର କଣ କରିବାକୁ ନିଷ୍ପତ୍ତି ନେଉଛନ୍ତି ବା ନିଷ୍ପତ୍ତି ନେବାକୁ ଯାଉଛନ୍ତି ସେ ବାବଦୀୟ ତଥ୍ୟ ରଖିବାକୁ ଆଜି ଆଡ଼ଭୋକେଟ ଜେନେରାଲଙ୍କୁ ନିର୍ଦେଶ ହୋଇଛି । ତେବେ ବାଲି ଉଠାଣକୁ ନେଇ ଜାରି ହୋଇଥିବା ରହିତାଦେଶ ବଳବତ୍ତର ରହିଛି । ଗତ ଡିସେମ୍ବର ମାସ 21 ତାରିଖରେ ରାଜ୍ୟ ଖଣି ବିଭାଗ ତରଫରୁ ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଯାହା ବଳରେ ପୁଣି ଥରେ ବାଲି ଚାଲାଣ ଆରମ୍ଭ ହୋଇଥିଲା । ତେବେ ମାମଲା ବିଚରାଧୀନ ଥିବାବେଳେ, ବିନା ପରାମର୍ଶରେ ଖଣି ବିଭାଗ କେମିତି ଏଭଳି ଏକ ବିଜ୍ଞପ୍ତି ପ୍ରକାଶ କଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ । ଆବଶ୍ୟକତା ଅନୁଯାୟୀ ବାଲି ଉଠାଣ ପାଇଁ ଅନୁମତି ଦେଇଥିଲା ଖଣି ଓ ଇସ୍ପାତ ବିଭାଗ । ଯାହା ଉପରେ ଶୁଣାଣି କରି ଗତ ଜାନୁୟାରୀ ୧୦ ତାରିଖ ଦିନ ବାଲି ଉଠାଣ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।
ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ମଧ୍ୟ ଜାରୀ କରିଛନ୍ତି ହାଇକୋର୍ଟ । ଗତ 21 ଡିସେମ୍ବର ରେ ଖଣି ବିଭାଗ ପକ୍ଷରୁ ଜାରୀ ହୋଇଥିବା ବିଜ୍ଞପ୍ତି ଉପରେ କୋର୍ଟ ଅଙ୍କୁଶ ଲଗାଇଛନ୍ତି । କଟକ ଜିଲ୍ଲାରେ ବେଆଇନ ବାଲି ଉଠାଣ ଏବଂ ଚାଲାଣ ମାମଲା ର ହାଇକୋର୍ଟରେ ଗତ ଶୁଣାଣି ସମୟରେ ସତ୍ୟପାଠ ଦାଖଲ କରାଯାଇଥିଲା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଜିଲ୍ଲାରେ ମୋଟ 14 ଟି ବାଲି ଖାଦାନର ଅନୁମତିକୁ ସାମୟିକ ଭାବେ ପ୍ରତ୍ୟାହାର ହୋଇଥିବା ନେଇ ସତ୍ୟପାଠରେ କୋର୍ଟଙ୍କୁ ଦର୍ଶାଯାଇଥିଲା । ଆଗକୁ ସମସ୍ତ ବେଆଇନ ଖାଦାନ ଉପରେ ପଦକ୍ଷେପ ଗ୍ରହଣ କରାଯିବ । ଲିଜ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । କେବଳ ସେତିକି ନୁହେଁ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା ।