ଓଡିଶା

odisha

ETV Bharat / state

ରାଜ୍ୟରେ ଲାଗୁ ହେବ ‘ଜାତୀୟ ଶିକ୍ଷା ନୀତି’: ଜାରି ହେଲା ବିଜ୍ଞପ୍ତି - NATIONAL EDUCATION POLICY 2020

NEP 2020 ଲାଗୁ ନେଇ ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ । ପୁନର୍ଗଠିତ ହେଲା ଟାସ୍କଫୋର୍ସ ।

Odisha Govt To Implement NEP
Odisha Govt To Implement NEP (ETV Bharat Odisha)

By ETV Bharat Odisha Team

Published : Jan 15, 2025, 7:50 PM IST

ଭୁବନେଶ୍ବର:ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବହୁଚର୍ଚ୍ଚିତ ‘ଜାତୀୟ ଶିକ୍ଷା ନୀତି’ (NEP)-୨୦୨୦ । ଆଜି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ଜାରି ବିଜ୍ଞପ୍ତିରେ ଦର୍ଶାଇଛି । ‘ଜାତୀୟ ଶିକ୍ଷା ନୀତି-୨୦୨୦’ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି ସରକାର । ଏଥିରେ 13 ଜଣ ସଦସ୍ୟ ସ୍ଥାନ ପାଇଛନ୍ତି । ଏହି ଟାକ୍ସଫୋର୍ସ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ ବା ଢାଞ୍ଚା ପ୍ରସ୍ତୁତ କରି ସରକାରଙ୍କୁ ସୁପାରିଶ କରିବ । ସେହି ଆଧାରରେ ରାଜ୍ୟ ସରକାର ଏହି ବହୁଚର୍ଚ୍ଚିତ ଶିକ୍ଷା ସଂସ୍କାର ଅଧିନିୟମକୁ କାର୍ଯ୍ୟକାରୀ କରିବେ ।

  • ବଦଳିଯିବ ପାଠ୍ୟକ୍ରମର ଢାଞ୍ଚା

ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବା ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟଗୁଡିକରେ ଏହି ନୂତନ ଶିକ୍ଷାନୀତି ଲାଗୁ କରାଯିବ । ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ 4 ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରୀ ଏବଂ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ। UGC ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱାର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମୱାର୍କ୍ ପ୍ରସ୍ତୁତ ହୋଇଛି । ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି। କମ୍ୟୁନିଟି ସର୍ଭିସ୍ ଓ Extra Curricular Activities, NCC,NSS ଇତ୍ୟାଦି ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ । ଫଳରେ ଛାତ୍ରଛାତ୍ରୀମାନେ ନିଜ ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ସମ୍ପୂର୍ଣ୍ଣ କରିପାରିବେ ।

ଏହା ବି ପଢନ୍ତୁ...ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି , ଏଣିକି ସ୍ନାତକ କୋର୍ସ 4 ବର୍ଷ - NATIONAL EDUCATION POLICY 2020

ଏହା ବି ପଢନ୍ତୁ...ଖୁବଶୀଘ୍ର ଓଡିଶାରେ ଜାତୀୟ ଶିକ୍ଷାନୀତି ଲାଗୁ, ଗଠନ ହେବ ଉଚ୍ଚସ୍ତରୀୟ କମିଟି - NEP in Odisha - NEP IN ODISHA

  • ନୂତନ ଶିକ୍ଷା ନୀତି-୨୦୨୦ ର ଲକ୍ଷ୍ୟ:

ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷା ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ ରଖାଯାଇଛି । ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ । ଏଥିପାଇଁ ବର୍ତ୍ତମାନ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ ସିଲାବସ ରହିବ । ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି Multi Disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି।

National Education Policy (Odisha Govt)
  • ଟାସ୍କଫୋର୍ସର ସଦସ୍ୟ :

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୧୩ ଜଣିଆ ଟାସ୍କ ଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଏହି ଟାସ୍କ ଫୋର୍ସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପଞ୍ଚାୟତିରାଜ, ମହିଳା ଓ ଶିଶୁ କଲ୍ୟାଣ, ଅର୍ଥ, ଦକ୍ଷତା ବିକାଶ, କ୍ରୀଡା, ଉଚ୍ଚ ଶିକ୍ଷା, ଓସେପା ର ପ୍ରକଳ୍ପ ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି । ଏହାସହ ଜାତୀୟ ଶିକ୍ଷା ନୀତି 2020ର ନୋଡାଲ ଅଫିସର ତଥା ଏସସିଇଆରଟି ର ନିର୍ଦ୍ଦେଶକ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରିଂସିପାଲଙ୍କୁ ମଧ୍ୟ ସଦସ୍ୟ ଭାବେ ମନୋନୀତ କରାଯାଇଛି । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସଂଯୋଜକ ଅଛନ୍ତି । ଏହାସହ ଟାସ୍କ ଫୋର୍ସରେ ବିଶେଷଜ୍ଞ ସଦସ୍ୟ ଭାବେ ୟୁନିସେଫ୍, ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ, ଅକ୍ଷର ଫାଉଣ୍ଡେସନ, ଲଙ୍ଗୁଏକ ଲର୍ଣିଂ ଫାଉଣ୍ଡେସନ, ପ୍ରଥମ ଭଳି ସଂସ୍ଥାରୁ ନିମନ୍ତ୍ରିତ ସଦସ୍ୟ ମାନେ ମଧ୍ୟ ପରାମର୍ଶ ଦେବେ । ବିଭାଗର ସୂଚନା ମୁତାବକ, ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ପରାମର୍ଶ ଦେବ ଟାସ୍କ ଫୋର୍ସ। କିଭଳି ଏହାକୁ ଲାଗୁ କରାଯିବ, ଏଥିରେ କ'ଣ କ'ଣ ରହିବ ଏବଂ କିଭଳି ଏହାର ପ୍ରଣୟନ କରାଯିବ ସମସ୍ତ ସବିଶେଷ ଆଧାରରେ କାର୍ଯ୍ୟ କରିବ ଟାସ୍କ ଫୋର୍ସ ।

National Education Policy (Odisha Govt)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details