ଅନୁଗୋଳ:ପୁରୁଷ ପୁରୁଷ ଧରି ମାଲିକଙ୍କୁ ଖଜଣା ଦେଇଆସୁଥିବା ସିକିମ୍ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଛି ନିଜସ୍ବ ସ୍ଥିତିବାନ ପଟ୍ଟା । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ସିକିମ୍ ରୟତର ସମସ୍ୟା ବହୁ ବର୍ଷ ଧରି ରହିଆସିଥିଲା । କିନ୍ତୁ ଏହାର ସମାଧାନ ସ୍ବରୂପ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଅନୁଗୋଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଛନ୍ତି । ଯେଉଁଥିରେ ଉପକୃତ ହୋଇଛନ୍ତି ଦୁଇ ହଜାରରୁ ଅଧିକ ହିତାଧିକାରୀ । ଏହି ଅବସରରେ ସ୍ଥାନୀୟ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ବଅଁରପାଳ, ଅନୁଗୋଳ ଓ ଛେଣ୍ଡିପଦା ତହସିଲ ଅନ୍ତର୍ଗତ ୩୦୦ ଜଣ ସିକିମ୍ ରୟତଙ୍କୁ ସ୍ଥିତିବାନ ପଟ୍ଟା (ପୂର୍ଣ୍ଣ ମାଲିକାନା ଅଧିକାର) ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରାଯାଇଛି ।
ଜିଲ୍ଲାରେ ମୋଟ ୨୩୩୯ ଜଣ ସିକିମ୍ ରୟତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୨୯୦ ଜଣ ବଅଁରପାଳ, ଅନୁଗୋଳ ଓ ଛେଣ୍ଡିପଦା ତହସିଲର ଅଧିବାସୀ ଅଟନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ତାଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ସମୟରେ ଜଣେ ଚାଷୀଙ୍କ ଠାରୁ ଅଭିଯୋଗ ପାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ରାଜସ୍ବ ବିଭାଗକୁ ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଓଡିଶା ଭୂ-ସଂସ୍କାର ଆଇନ୍ ୧୯୬୦ର ଆବଶ୍ୟକୀୟ ସଂଶୋଧନ କରାଯାଇ ରାଜ୍ୟରେ ଥିବା ୨.୫୪ ଲକ୍ଷ ସିକିମ୍ ସ୍ୱତ୍ୱ ରୟତ ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।