ଭୁବନେଶ୍ୱର: ଉତ୍କର୍ଷ ଓଡିଶା,ମେକ ଇନ ଓଡିଶା ୨୦୨୫କୁ ନେଇ ବେଶ ଉତ୍ସାହିତ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ୩୨ ହଜାର ୭୩୬ କୋଟିର ନିବେଶକୁ ଅନୁମୋଦନ ମିଳିଛି । ମଞ୍ଜୁରୀ ପାଇଥିବା ୮ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୮,୬୮୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
୮ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୮ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ସବୁ ପ୍ରକଳ୍ପରେ ୩୨ ହଜାର ୭୩୬ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୮ ହଜାର ୬୮୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ମୋହନ ସରକାର ସମନ୍ବିତ ଶିଳ୍ପର ବିକାଶକୁ ଗୁରୁତ୍ଵ ଦେଇଛନ୍ତି । ଏହି କ୍ରମରେ ରସାୟନ, ସବୁଜ ଶକ୍ତି ଯନ୍ତ୍ରପାତି, ଜାହାଜ ତିଆରି ଓ ମରାମତି ସାଙ୍ଗକୁ ଇସ୍ପାତ ଭଳି ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ମିଳିଛି । ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର ଓ ସମ୍ବଲପୁରରେ ହେବାକୁ ଥିବା ଏହି ଶିଳ୍ପ ଦ୍ବାରା ଅର୍ଥନୈତିକ ବିକାଶ ସାଙ୍ଗକୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ହଜାର ହଜାର ନିଯୁକ୍ତି ସୁଯୋଗ ସମ୍ଭାବନା:
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ମୁମ୍ବାଇ, ଦିଲ୍ଲୀ, ସିଙ୍ଗାପୁରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରୋଡ ଶୋ ହୋଇଛି । ଏହାପରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଆଗାମୀ ଦିନରେ ଓଡିଶା ପୁଞ୍ଜିନିବେଶର ଅଲଟିମେଟ ଡେଷ୍ଟିନେସନ ହେବ । ଚଳିତ ମାସରେ ବସିଛି ଦ୍ଵିତୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ । ଉତ୍କର୍ଷ ଓଡିଶା ପୂର୍ବରୁ ଅନୁମୋଦିତ ଏହି ବୃହତ ଶିଳ୍ପ ରାଜ୍ୟର ଶିଳ୍ପ ଅଭିବୃଦ୍ଧିର ଶକ୍ତିକୁ ଦର୍ଶାଉଛି । ଏହି ନିବେଶ ଦ୍ୱାରା ସିଧାସଳଖ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ନିବେଶ ଦ୍ଵାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବ ।
ମଞ୍ଜୁରୀ ପାଇଥିବା କମ୍ପାନୀଗୁଡିକ ହେଲା:
ମଞ୍ଜୁରୀ ପାଇଥିବା କମ୍ପାନୀ ମଧ୍ୟରେ ରହିଛି ଖୋର୍ଦ୍ଧାରେ ପ୍ରସ୍ତାବିତ ସବୁଜ ଶକ୍ତି ଯନ୍ତ୍ରପାତି କାରଖାନା । ଏଥିପାଇଁ ଖୋସମା ଗ୍ରୀନ ଏନର୍ଜି ୬,୯୪୮ କୋଟି ଟଙ୍କା ନିବେଶ କରିବ । ଏହା ଦ୍ୱାରା ୨,୮୯୮ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜଗତସିଂହପୁରରେ ଧୁନସେରୀ ଭେଞ୍ଚର୍ସ ପକ୍ଷରୁ ରସାୟନ କାରଖାନା ପାଇଁ ୬,୨୫୦ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ୧,୯୦୦ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ସେହିପରି ୟୁନାଇଟେଡ ପେଟ୍ରୋ ସିପିଙ୍ଗ ପକ୍ଷରୁ ୫,୬୩୭ କୋଟି ନିବେଶରେ ଜାହାଜ ତିଆରି ଓ ମରାମତି କାରଖାନା ପ୍ରତିଷ୍ଠା କରାଯିବ । ଜଗତସିଂହପୁରରେ ପ୍ରସ୍ତାବିତ ଏହି ଶିଳ୍ପ ପ୍ରତିଷ୍ଠା ହେଲେ ୧,୬୯୦ ନିଯୁକ୍ତି ସୃଷ୍ଟି ହେବ ।
କେଉଁ ସବୁ କମ୍ପାନୀକୁ ମିଳିଛି ମଞ୍ଜୁରୀ:
- ଖୋସମା ଗ୍ରୀନ ଏନର୍ଜି
- ଧୁନସେରୀ ଭେଞ୍ଚର୍ସ
- ୟୁନାଇଟେଡ ପେଟ୍ରୋ ସିପିଙ୍ଗ
- ୟୁପିଏଲ ଲିମିଟେଡ
- ଡିସିଏମ ଶ୍ରୀରାମ
- ରତ୍ନମଣି ମେଟାଲ୍ସ
- ହିଣ୍ଡାଲକୋ
- ଏଫଏସ ଗ୍ରୀନ ଏନର୍ଜୀ
ସେହିଭଳି ଗଞ୍ଜାମରେ ୟୁପିଏଲ ଲିମିଟେଡ ଓ ଡିସିଏମ ଶ୍ରୀରାମ ପକ୍ଷରୁ ଦୁଇଟି କେମିକାଲ ଫ୍ୟାକ୍ଟି ପ୍ରତିଷ୍ଠା କରାଯିବ । ଉଭୟ ପ୍ରକଳ୍ପରେ ଯଥାକ୍ରମେ ୪୦୦୧ ଓ ୫୨୦୦ କୋଟି ଟଙ୍କା ନିବେଶ ହେବ । ଫଳରେ ଉଭୟ ପ୍ରକଳ୍ପରେ ୬୧୦୦ ଜଣଙ୍କ ଲାଗି ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ଭଦ୍ରକରେ ରତ୍ନମଣି ମେଟାଲ୍ସ ପକ୍ଷରୁ ଷ୍ଟିଲ ରଡ ଉତ୍ପାଦନ କାରଖାନା ପ୍ରତିଷ୍ଠା ହେବ । ୬୦୦ ନିଯୁକ୍ତି ସମ୍ଭାବନା ରହିଛି । ସମ୍ବଲପୁରରେ ହିଣ୍ଡାଲକୋ ୨ ହଜାର କୋଟି ନିବେଶ କରିବ । ଏକ କେମିକାଲ ଫ୍ୟାକ୍ଟ୍ରି ପ୍ରତିଷ୍ଠା ହେବା ଦ୍ଵାରା ୧୫୦୦ ନିଯୁକ୍ତି ସୃଷ୍ଟି ହୋଇପାରିବ । ଗଞ୍ଜାମରେ ଏଫଏସ ଗ୍ରୀନ ଏନର୍ଜୀ ପ୍ରାଇଭେଟ ଲିମିଟେଡ଼ ଏକ ସବୁଜ ଶକ୍ତି ଯନ୍ତ୍ରପାତି ଶିଳ୍ପ ପ୍ରତିଷ୍ଠା କରିବ । ୧୫୦୦ କୋଟି ନିବେଶରେ ୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।