ନୂଆପଡା:ନୂଆପଡା ଜିଲ୍ଲାକୁ ଦିନିକିଆ ଗ୍ରସ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କୁ ଉତ୍ତମ ପରାମର୍ଶ ଦେଇଛନ୍ତି । ଏଥିସହ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ମିଛାପାଳି ଗାଁ ପରିଦର୍ଶନ କରିଛନ୍ତି । ସେଠାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟ ଲୋକଙ୍କୁ ସାକ୍ଷାତ କରି ତାଙ୍କ ଜୀବନ ଜୀବିକା ସମ୍ପର୍କରେ ପଚାରିଛନ୍ତି ।
ଶନିବାର ପୁରୀ ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ରେଲ ଟ୍ରେନ ଯୋଗେ ସକାଳ 8ଟା 30 ମିନିଟରେ ନୂଆପଡା ସର୍କିଟ ହାଉସ ପହଞ୍ଚିଥିଲେ ମହାମହିମ ରାଜ୍ୟପାଳ ରଘୁବର ଦାସ । ସେଠାରେ କିଛି ସମୟ ରହିବା ପରେ ନୂଆପଡା ସଦର ବ୍ଲକ ଦଳଦଳି ଗାଁ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେଠାରେ ଅଙ୍ଗନ ବାଡ଼ି ଦିଦିଙ୍କୁ ପୋଷଣ ସମ୍ପର୍କରେ ସୂଚନା ଦେଇଥିଲେ । କୋମଳମତି ଶିଶୁ ଆଗାମୀ ଭବିଷ୍ୟତର ନାଗରିକ ତଥା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯେପରି ଠିକ ରହିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ଶିଶୁମାନଙ୍କୁ ଚକୋଲେଟ ଦେଇ କିଛି ସମୟ ଶିଶୁମାନଙ୍କ ସହିତ ସମୟ କାଟିଥିଲେ ।
ଏହାପରେ ନୂଆପଡା ସ୍ଥିତ ଟାନୱାଟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବା ଟାନୱାଟ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ କରିଛନ୍ତି । ସେଠାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଇନଚାର୍ଜ କନକ ବର୍ଦ୍ଧନ ସାହୁଙ୍କ ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଅଣସଂକ୍ରମଣ ରୋଗ, ଶାରୀରିକ ବ୍ୟାୟାମ, ପ୍ରାଣାୟମ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ । ରୋଗୀଙ୍କ ସହିତ ଉତ୍ତମ ବ୍ୟବହାର କରିବା ସହିତ ତାଙ୍କ ଶାରୀରିକ ମାନସିକ ସ୍ଥିତି ବୁଝିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାପରେ ଆଶାକର୍ମୀମାନଙ୍କ ସହିତ ସେମାନଙ୍କ ଦୈନିକ କାମ ସମ୍ପର୍କରେ ବୁଝିବା ସହ ଭଲ କାମ କରି ଲୋକଙ୍କୁ ରୋଗ ଦାଉରୁ ସୁରକ୍ଷା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଛନ୍ତି ।