ଭୁବନେଶ୍ୱର:ପାଚକ ଓ ପାଚିକାମାନଙ୍କ ପାଇଁ ଖୁସି ଖବର । ବଢିଲା ପାରିଶ୍ରମିକ । ସେମାନଙ୍କ ମାସିକ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟର ୧.୧୨ ଲକ୍ଷ ପାଚକ ଓ ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୧୧୨ କୋଟି ଟଙ୍କା ବ୍ୟୟ କରିବାକୁ ହେବ । ଅନ୍ୟପଟେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଚାଉଳ ଓ ଗହମ ପରି ଶସ୍ୟର ପରିବହନ ମୂଲ୍ୟ ବୃଦ୍ଧି ହୋଇଛି । ଆଉମଧ୍ୟ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବା ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି ।
ବଢିଲା ପାଚକ, ପାଚିକାଙ୍କ ପାରିଶ୍ରମିକ:
ପି.ଏମ ପୋଷଣ ଯୋଜନାରେ ବା ମଧ୍ୟାହ୍ନ ଭୋଜନରେ କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ ଓ ପାଚିକାମାନଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ପାଚକ, ପାଚିକାମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ପି.ଏମ ପୋଷଣ ଯୋଜନାରେ ବା ମଧ୍ୟାହ୍ନ ଭୋଜନ ରାଜ୍ୟରେ ନିୟୋଜିତ ହୋଇଥିବା ୧ ଲକ୍ଷ ୧୨ ହଜାର ୯୦ ଜଣ ପାଚକ, ପାଚିକା (Cook-cum-Helpers) ଉପକୃତ ହେବେ ।
ବର୍ଷକୁ ଅତିରିକ୍ତ ୧୧୨ କୋଟି ବ୍ୟୟ:
ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ । ଏହି ପାଚକ, ପାଚିକାମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦ ହଜାର ୬୧୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରଷୁଛନ୍ତି । ପାରିଶ୍ରମିକ ବୃଦ୍ଧି କରିବା ଲାଗି ଦୀର୍ଘ ଦିନରୁ ପାଚକ, ପାଚିକାମାନେ ଦାବି କରିଆସୁଥିଲେ ।
ଶସ୍ୟ ପରିବହନ ମୂଲ୍ୟ ବୃଦ୍ଧି:
ଅନ୍ୟପଟେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ (Supplementary Nutrition Programme)ରେ ଚାଉଳ ଓ ଗହମ ପରି ଶସ୍ୟର ପରିବହନ ମୂଲ୍ୟ ବୃଦ୍ଧି ହୋଇଛି । ଏଥିପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଫଳରେ ବର୍ଷକୁ ଖର୍ଚ୍ଚ ହେବ ଅତିରିକ୍ତ ୮.୬୫ କୋଟି ଖର୍ଚ୍ଚ ହେବ ।
ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ ପାଇଁ ଅଙ୍ଗନବାଡି କେନ୍ଦ୍ରମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ । ଏହା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଘରକୁ ଦେବା ପାଇଁ ଗହମ ପ୍ରଦାନ କରାଯାଇଥାଏ । ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟମାନଙ୍କୁ ନିୟୋଜିତ କରାଯାଇଥାଏ । ୨୦୧୧ ମସିହା ପର ଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନଥିଲା । ତେଣୁ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ପରିବହନ ମୂଲ୍ୟରେ ବୃଦ୍ଧି କରାଯାଇଛି ବୋଲି ସରକାର କହିଛନ୍ତି ।
ପରିବହନ ପାଇଁ ନିୟୋଜିତ ହେବେ ନୂଆ ଏଜେଣ୍ଟ:
କିନ୍ତୁ ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଣ୍ଟମାନେ ଦାବି କରିପାରିବେ ନାହିଁ । କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଣ୍ଟମାନଙ୍କ ପାଇଁ ଏହା ଲାଗୁ ହେବ । ପରିବହନ ପାଇଁ ଯେଉଁ ନୂଆ ଏଜେଣ୍ଟମାନଙ୍କୁ ନିୟୋଜିତ କରାଯିବ । ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରାଯିବ । ପରିବହନର ମୂଲ୍ୟ କ୍ୱିଣ୍ଟାଲ ପିଚ୍ଛା ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ ।