ଓଡିଶା

odisha

ETV Bharat / state

ଓଡ଼ିଶାରେ ରେଳ ବିକାଶ ପାଇଁ ୭୩, ୭୨୩ କୋଟି ଟଙ୍କା ମଞ୍ଜୁର - NEW RAILWAY PROJECTS IN ODISHA

8 ନୂଆ ପ୍ରୋଜେକ୍ଟକୁ ଗ୍ରୀନ ସିଗନାଲ । ଗୁଣୁପୁର -ଥେରୁବାଲି, ଜୁନାଗଡ଼ ରୋଡ୍- ନବରଙ୍ଗପୁର ନୂଆ ରେଳ ଲାଇନ୍ । ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଓଡ଼ିଶାରେ ରେଳ ବିକାଶ ପାଇଁ ୭୩, ୭୨୩ କୋଟି ଟଙ୍କା ମଞ୍ଜୁର
ଓଡ଼ିଶାରେ ରେଳ ବିକାଶ ପାଇଁ ୭୩, ୭୨୩ କୋଟି ଟଙ୍କା ମଞ୍ଜୁର (ETV Bharat Odisha)

By ETV Bharat Odisha Team

Published : Dec 3, 2024, 8:48 PM IST

ଭୁବନେଶ୍ବର:ଓଡ଼ିଶାରେ ରେଳ ବିକାଶ ପାଇଁ ୭୩ ହଜାର ୭୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଏଥିମଧ୍ୟରେ 8ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି । ପ୍ରସ୍ତାବିତ ରାୟଗଡ଼ା ରେଳ ମଣ୍ଡଳକୁ ମଞ୍ଜୁର କରାଯାଇଛି । ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟିର ଟେଣ୍ଡର ଆହ୍ୱାନ କରାଯାଇଛି । ମୋଦିଙ୍କ ତୃତୀୟ ପାଳିରେ ୮ ନୂଆ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ୧୯ ହଜାର ୨୮୯ କୋଟି ବ୍ୟୟ ଅଟକଳରେ ଏହି ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି ବୋଲି ସୂଚନା ଦେବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଏହି ନୂତନ ପ୍ରକଳ୍ପଗୁଡିକ ମଧ୍ୟରେ ଗୁଣୁପୁର-ଥେରୁବାଲି, ଜୁନାଗଡ଼ ରୋଡ-ନବରଙ୍ଗପୁର ନୂଆ ରେଳ ଲାଇନ ରହିଛି । ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ, ବାଦାମପାହାଡ଼-କେନ୍ଦୁଝରଗଡ଼, ବାଙ୍ଗିରିପୋଷି-ଗୋରୁମହିଷାଣୀ, ସରଡେଗା-ଭାଲୁମୁଡ଼ା ଦୋହରୀକରଣ, ବରଗଡ଼ ରୋଡ୍ -ନୂଆପଡ଼ା ରୋଡ୍ ନୂତନ ରେଳ ଲାଇନ୍ ପ୍ରମୁଖ ରହିଛି । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡିଆ ସାଂସଦମାନେ ରେଳମନ୍ତ୍ରୀଙ୍କୁ ଭେଟି ଆଲୋଚନା ଅବସରରେ ଅଶ୍ବିନୀ ଏହି ସୂଚନା ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଓଡ଼ିଶାରେ ରେଳ ବିକାଶ ପାଇଁ ୭୩, ୭୨୩ କୋଟି ଟଙ୍କା ମଞ୍ଜୁର (ETV Bharat Odisha)
  • ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ୩ଟି ରେଳ ମଣ୍ଡଳ ରହିବ:-

ଓଡ଼ିଶାର ଆର୍ଥିକ ହିତକୁ ବଜାୟ ରଖାଯିବା ସହ ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ୩ଟି ରେଳ ମଣ୍ଡଳ ରହିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ନୂଆଦିଲ୍ଲୀରେ ଓଡ଼ିଶାର ଲୋକସଭା ସାଂସଦମାନଙ୍କ ସହିତ ଆଲୋଚନ ପରେ ବୈଷ୍ଣବ କହିଛନ୍ତି ଯେ, "ଓଡ଼ିଶାର ରେଳ ବିକାଶ ପ୍ରସଙ୍ଗରେ ସାଂସଦମାନଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଛି । ବର୍ତ୍ତମାନ ପୂର୍ବତଟ ଏବଂ ଦକ୍ଷିଣ-ତଟ ରେଳ ଜୋନ୍ ପୁନର୍ଗଠନ ହେଉଥିବାବେଳେ ଓଡ଼ିଶାର ଆର୍ଥିକ ସ୍ୱାର୍ଥରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଓଡ଼ିଶାରେ ରେଳ ବିକାଶ ପାଇଁ ୭୩ ହଜାର ୭୨୩ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର କରାଯାଇଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି ।’’

ଏହା ମଧ୍ୟ ପଢନ୍ତୁ:- ଘରୋଇକରଣ ହେବକି ଭାରତୀୟ ରେଳବାଇ ? ରେଳମନ୍ତ୍ରୀ ଦେଲେ ବଡ ସଙ୍କେତ - Privatisation of indian railways

  • ୮ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି:-

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଓଡ଼ିଶାର ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରିଛନ୍ତି । ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନିଟି ରେଳ ମଣ୍ଡଳ ରହିବ । ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି । ୧୯ ହଜାର ୨୮୯ କୋଟି ଟଙ୍କାର ୮ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।’’

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ହେଲା:-


୧. ଗୁଣୁପୁର -ଥେରୁବାଲି ନୂତନ ରେଳ ଲାଇନ
୨. ଜୁନାଗଡ଼ ରୋଡ଼ -ନବରଙ୍ଗପୁର ନୂତନ ରେଳ ଲାଇନ
୩. ମାଲକାନଗିରି -ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ
୪. ବାଦାମପାହାଡ଼ -କେନ୍ଦୁଝରଗଡ଼ ନୂତନ ରେଳ ଲାଇନ
୫. ବାଙ୍ଗିରିପୋଷି -ଗୋରୁମହିଷାଣୀ ନୂତନ ରେଳ ଲାଇନ
୬. ବୁଡ଼ାମରା -ଚାକୁଳିଆ ନୂତନ ରେଳ ଲାଇନ
୭. ସରଡେଗା -ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ
୮. ବରଗଡ଼ ରୋଡ଼ -ନୂଆପଡା ରୋଡ଼ ନୂତନ ରେଳ ଲାଇନ୍‌


ଏହା ବ୍ୟତୀତ କଳାହାଣ୍ଡି ଠାରୁ ଆରମ୍ଭ କରି ମାଲକାନଗିରି ଓ କୋରାପୁଟ ପର୍ଯ୍ୟନ୍ତ ରେଳ ସଂଯୋଗ ପ୍ରକଳ୍ପ ମଞ୍ଜୁର କରାଯାଇଛି । ବାରକୋଟ- ଝାରସୁଗୁଡ଼ା ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯାଇଥିବା ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details