ରାଇରଙ୍ଗପୁର: କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗ କର୍ମଚାରୀ । ଦୁଇ ଦଫା ଦାବି ନେଇ ଆଜିଠାରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ଅଗ୍ନିଶମ ବିଭାଗ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗର ଆଗ୍ନିକ, ମୁଖ୍ୟ ଆଗ୍ନିକ, ଆଗ୍ନିକ ଗାଡିଚାଳକ ଏବଂ ଡ୍ରାଇଭର ହାବିଲଦାର ମାନେ ସାମିଲ ହୋଇଛନ୍ତି । ସେମାନଙ୍କର ମୁଖ୍ୟ ଦୁଇ ଦଫା ଦାବି ରହିଛି ।
ପ୍ରଥମତଃ ଦରମାରେ ଥିବା ଅସଙ୍ଗତି ଦୂର କରିବା ଅର୍ଥାତ ପୂର୍ବ ପରି ପୋଲିସ ସହ ସମାନ ଦରମା ଓ ଭତ୍ତା ପ୍ରଦାନ, ଦ୍ବିତୀୟରେ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ମାନଙ୍କ ସଂଘର ସରକାରୀ ପଞ୍ଜିକରଣ କରାଯିବା । ସୂଚନାଯୋଗ୍ୟ ଯେ, ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ମାନଙ୍କର ୧୩ ଗୋଟି (ପଦବୀ) ସ୍ତରରୁ ୧୧ ଗୋଟି ସ୍ତରରେ ଓଡ଼ିଶା ପୋଲିସ୍ କର୍ମଚାରୀମାନଙ୍କ ଭଳି ସମାନ ଦରମା ଥିବା ସ୍ଥଳେ ୨ ଗୋଟି ସ୍ତରର କର୍ମଚାରୀ ମାନେ ନିଜର ଲେବଲରେ କମ୍ ଏବଂ ଦରମାରେ କମ୍ ପାଉଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଯେଉଁଥି ପାଇଁ ଗତ ୨୦୨୩ ମସିହା ଡ଼ିସେମ୍ବର ମାସ ୧୧ ତାରିଖ ଠାରୁ ସରକାରୀ କାର୍ଯ୍ୟ କରିବା ସହ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିଥିଲେ । ଏଥି ସହିତ ଚଳିତ ବର୍ଷ ଜାନୁୟାରୀ ୨୨ ତାରିଖ ଠାରୁ କର୍ମଚାରୀ ମାନେ ସପରିବାର ସହ ଏକ ବେଳା ଖାଦ୍ୟଗ୍ରହଣ କରି ଓ ଏକ ବେଳା ଉପବାସ ରହି ସରକାରୀ କାର୍ଯ୍ୟ କରିବା ପରେ ମଧ୍ୟ ସରକାରୀ ସ୍ତରରୁ କୌଣସି ଆଶ୍ବାସନା ମିଳି ପାରିନାହିଁ ।