ଭୁବନେଶ୍ବର:ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଭରତପୁର ପୋଲିସ ଷ୍ଟେସନରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । "ସରକାର ସଚେତନ ଅଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏତଲା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି । ଆମ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସୋସିଆଲ ମିଡିଆରେ CMOର ପ୍ରତିକ୍ରିୟା-
"ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ସହିତ ଥିବା ଜଣେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗକୁ ସରକାର ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିଛନ୍ତି। ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।"
"ଘଟଣା ଅତ୍ୟନ୍ତ ସଂବେଦନଶୀଳ ହୋଇଥିବାରୁ କ୍ରାଇମବ୍ରାଞ୍ଚକୁ ଘଟଣାର ଯାଞ୍ଚ କରି ତୁରନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ପ୍ରାପ୍ତ ହେବା ମାତ୍ରେ ଆଇନ ଅନୁଯାୟୀ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ । ମହିଳା ହିଂସା ବିରୁଦ୍ଧରେ ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛନ୍ତି ଏବଂ ମହିଳା ନିର୍ଯାତନାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ।"
କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ ପ୍ରଭାତୀ ପରିଡା-
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ଏମ୍ସରେ ବାନ୍ଧବୀଙ୍କୁ ଭେଟିବା ପରେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଜିରୋ ଟଲରାନ୍ସ ସରକାରଙ୍କ ପ୍ରତିବଦ୍ଧତା କହିଲେ ପ୍ରଭାତୀ ପରିଡ଼ା । ‘ରିପୋର୍ଟ ଖୁବ୍ କମ୍ ଦିନରେ ଆସିବ, ସରକାର ନଜର ରଖିଛନ୍ତି’ । ଦୋଷୀ ଯିଏ ବି ହୁଅନ୍ତୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପ୍ରଭାତୀ ପରିଡା ।
ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ:
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଭୁବନେଶ୍ବର ଏମ୍ସ ଯାଇ ଭେଟିଲେ ପ୍ରଭାତୀ ପରିଡ଼ା । ଭୁବନେଶ୍ବର ଡିସିପିଙ୍କ ସହ ମଧ୍ୟ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ । ମାତ୍ର ଗଣମାଧ୍ୟମକୁ ଏନେଇ କୌଣସି ପ୍ରତିକ୍ରିୟା ଦେଲେନି ଡିସିପି ।